ଯାଞ୍ଚ ବେଳେ ପିକଅପ ଭ୍ୟାନ ମଡାଇ ଗୃହରକ୍ଷୀଙ୍କୁ ହତ୍ୟା
କେନ୍ଦ୍ରାପଡ଼ା : କେନ୍ଦ୍ରାପଡାର ଦୈତାରୀ-ପାରାଦ୍ୱୀପ ୫ନଂ କ ଜାତୀୟ ରାଜପଥର କେନ୍ଦ୍ରାପଡାର ବଳଭଦ୍ରପୁର ଠାରେ କର୍ତବ୍ୟରତ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି । କେନ୍ଦ୍ରାପଡା ପରିବହନ ବିଭାଗ ପକ୍ଷରୁ ବଳଭଦ୍ରପୁର ଛକରେ ଗାଡି ଯାଂଚ କରାଯାଉ ଥିବାବେଳେ ଏଥିରେ ପୋଲିସ ମୁତୟନ ହୋଇଥିଲେ । ଯାନବାହନ ଯାଂଚ ବେଳେ ପାରାଦ୍ୱୀପ ଆଡୁ ଦୃତ ଗତିରେ ଆସୁଥିବା ଗୋଟିଏ ପିକଅପ ଭ୍ୟାନ ଯାଂଚ କାର୍ଯ୍ୟରେ ନିଯୁକ୍ତ ଥିବା ସ୍ଥାନୀୟ ଇଛାପୁର ବଡବାରଙ୍ଗ ଗ୍ରାମର ଗୃହରକ୍ଷୀ ପ୍ରବିର କୁମାର ମହାପାତ୍ରଙ୍କୁ ଧକ୍କା ଦେଇ ଉପରେ ଚଢି ଯାଇଥିଲା । ଫଳରେ ପ୍ରବିରଙ୍କ ମୁଣ୍ଡ ଓ ଦେହରେ ଗଭୀର କ୍ଷତ ହେବା ସହ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଅନ୍ୟ କର୍ମଚାରୀମାନେ ଗୋଡାଇ ପିକଅପ କୁ ଜବତ କରିଥିବା ବେଳେ ଡ୍ରାଇଭର ଜଣକ ଫେରାର ହେଇଯାଇ ଥିବା ଜଣାପଡିଛି । ଏହି ଘଟଣା ପରେ ଗୃହରକ୍ଷୀଙ୍କ ସଂପର୍କୀୟମାନେ କ୍ଷତିପୁରଣ ଦାବିରେ ଶବରଖି ରାଜପଥ ଉପରେ ଧାରଣା ଦେଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଛି ।
