ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି ହେଲେ ଦୁର୍ଘଟଣା କମିବ- ପରିବହନ ମନ୍ତ୍ରୀ
ଭୁବନେଶ୍ୱର : ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସଡକ ସୁରକ୍ଷା ସଂପର୍କିତ ବ୍ୟାପକ ଜନସଚେତନତା, ଏଥି ନିମନ୍ତେ ରହିଥିବା ଆଇନର କଠୋର ଅନୁପାଳନ କରାଗଲେ ସଡକ ଦୁର୍ଘଟଣାଜନିତ ମୃତ୍ୟୁକୁ ହ୍ରାସ କରାଯାଇପାରିବ ବୋଲି ବୁଧବାର ଭୁବନେଶ୍ୱର ଲୋକସେବା ଭବନସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଆୟୋଜିତ ସଡକ ସୁରକ୍ଷା ପରିଷଦର ୨ୟ ବୈଠକରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗଦେଇ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀମତୀ ସାହୁ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ରାଜ୍ୟରେ ପ୍ରାୟ ୬୮ ପ୍ରତିଶତ ଦୁର୍ଘଟଣା ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁଁ ଘଟୁଛି । ୨ଚକିଆ ଯାନ ଚାଳକ ଓ ସହଯାତ୍ରୀ ଉଭୟ ହେଲମେଟ୍ ପିନ୍ଧିବାକୁ ବାଧ୍ୟତାମୂଳକ କରି ଆମେ ବହୁ ଅମୂଲ୍ୟ ଜୀବନ ରକ୍ଷା କରିପାରିବା ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିବା ସଙ୍ଗେ ସଙ୍ଗେ ଯାନ ଚାଳକଙ୍କୁ ଉପଯୁକ୍ତ ଯୋଗ୍ୟତା ଭିତିରେ ଲାଇସେନ୍ସ ପ୍ରଦାନ, ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଁଚାଇବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ ମନ୍ତ୍ରୀ କହିଥିଲେ । ନିଶା ସେବନ କରି ଗାଡି ଚଳାଇବା ଏବଂ ଭୁଲ ପାର୍ଶ୍ୱରେ ଗାଡିଚାଳନା ରୋକିବା ଦିଗରେ କଡାକଡି ପଦକ୍ଷେପ ନିଆଯିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ ଜେନା ଯୋଗଦେଇ କହିଲେ ଯେ, ଆମ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁର କାରଣ ଅନୁଧ୍ୟାନ କରି ଏ ଦିଗରେ ଦୃଢ ପଦକ୍ଷେପ ନେବାକୁ ହେବ । ବେପରୁଆ ଗାଡି ଚାଳନା ଏବଂ ରାସ୍ତା ନିର୍ମାଣଜନିତ ତୃଟି ପ୍ରତି ଯଦି ଆମେ ସଜାଗ ରହିବା, ତେବେ ଅଧିକାଂଶ ସଡକ ଦୁର୍ଘଟଣା ଜନିତ କ୍ଷୟକ୍ଷତିକୁ ଆମେ ରୋକି ପାରିବା । ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲବୈଠକରେ ଯୋଗଦେଇ କହିଲେ ଯେ, ଆମେ ସମସ୍ତେ ଚାହୁଁଛୁ ସଡକ ଦୁର୍ଘଟଣା ହ୍ରାସ ପାଉ । ଆମର ରାସ୍ତା ଓ ଯାନ ନିର୍ମାଣ କ୍ଷେତ୍ରରେ ଗୁଣାତ୍ମକତା ବୃଦ୍ଧି ଘଟିଛି । କିନ୍ତୁ ଯାନ ଚାଳକମାନଙ୍କର ଯାନ ଚାଳନାରେ ଉନ୍ନତ ମାନସିକତାର ଆବଶ୍ୟକତା ରହିଛି । ଲାଇସେନ୍ସ ପ୍ରଦାନ କ୍ଷେତ୍ରରେ ଥିବା ପଦ୍ଧତିକୁ ସରଳ କରାଯାଉ, କିନ୍ତୁ, ଯୋଗ୍ୟତା ମାନଦଣ୍ଡରେ କୌଣସି କୋହଳ ମନୋବୃତି କରାଯିବା ଉଚିତ୍ ନୁହେଁ ବୋଲିସେ ମତ ରଖିଥିଲେ । ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ ଯୋଗଦେଇ କହିଲେ ଯେ ସଡକ ଦୁର୍ଘଟଣା ଯୋଗୁଁ ମୃତ୍ୟୁବରଣ କରୁଥିବା ବ୍ୟକ୍ତିର ପରିବାର ଉପରେ ସାମାଜିକ ତଥା ଆର୍ôଥକ ଦୃଷ୍ଟିକୋଣରୁ ଗୁରୁତର ପ୍ରଭାବ ପଡୁଛି । ଏଣୁ ଦୁର୍ଘଟଣାକୁ ଏଡାଇବା ପାଇଁ ପରିବହନ ବିଭାଗ ସହିତ ପୁଲିସ୍ ବିଭାଗର ମଧ୍ୟ ସମାନ ଦାୟିତ୍ୱ ରହୁଛି । ସମସ୍ତଙ୍କ ସମନ୍ୱୟରେ ସଡକ ସୁରକ୍ଷା ଆଇନ୍ ଓ ନିୟମକୁ କଠୋର ଅନୁପାଳନ କରିବାକୁ ପଡିବ ବୋଲି ଶ୍ରୀମତୀ ପାଢୀ କହିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପରିବହନ ଆୟୁକ୍ତ ଅରୁଣ ବୋଥ୍ରା,ଭୁବନେଶ୍ୱର-କଟକ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନ ବିଭାଗ ସଚିବ, ଜାତୀୟ ରାଜପଥ କର୍ତୃପକ୍ଷଙ୍କ ପ୍ରତିନିଧି, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା ଏବଂ ଟ୍ରକ ମାଲିକ ସଂଘର କର୍ମକର୍ତା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବାଣିଜ୍ୟ ଓ ପରିବହନ ବିଭାଗର ଯୁଗ୍ମ ଶାସନ ସଚିବ କିଶୋର ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
