ଜଣେ ହତ୍ୟାକାରୀର ଆତ୍ମହତ୍ୟାକୁ ନେଇ ବିଜେପି ହୀନ ରାଜନୀତି କରୁଛି : ବିଜେଡି
ଭୁବନେଶ୍ୱର : ପ୍ରାୟ ଏକ ବର୍ଷ ତଳେ ମମିତା ମେହେର ହତ୍ୟାକାଣ୍ଡ ଘଟିଲା ବେଳେ ଏହାକୁ ନେଇ ଅନେକ ରାଜନୀତି ହୋଇଥିଲା । ଏବେ ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିବା ପରେ ବିଜେପି ହୀନ ରାଜନୀତି କରିବା ଆରମ୍ଭ କରି ଦେଇଛି । ରାଜନୀତି କରିବା ଲାଗି ଓଡ଼ିଶାରେ ଆହୁରି ଅନେକ ପ୍ରସଙ୍ଗ ରହିଛି । ତେଣୁ ବିଜେପି ନେତାମାନେ ଶସ୍ତା ରାଜନୀତି ନ କରି ନ୍ୟାୟପାଳିକା ଉପରେ ଆସ୍ଥା ରଖନ୍ତୁ ବୋଲି ବେିଜଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ମମିତା ମେହେର ହତ୍ୟାକାଣ୍ଡ ଘଟିବା ପରେ, ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଜଣେ କାର୍ଯ୍ୟରତ ବିଚାରପତିଙ୍କ ତଦାରଖରେ ଏହି ମାମଲାର ତଦନ୍ତ ଲାଗି ଅନୁମତି ଦେବାକୁ ରାଜ୍ୟ ସରକାରଙ୍କ ତରଫରୁ ହାଇକୋର୍ଟଙ୍କ ନିକଟରେ ଆବେଦନ କରାଯାଇଥିଲା । ରାଜ୍ୟ ସରକାରଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ଙ୍କ ତଦାରଖରେ ଏହି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଜଜ୍ଙ୍କ ତଦାରଖରେ ତଦନ୍ତ ହେବା ପରେ ପୁଲିସ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା ଏବଂ ଅଦାଲତରେ ମଧ୍ୟ ତ୍ୱରିତ ବେଗରେ ମାମଲାର ଶୁଣାଣି ଜାରି ରହିଥିଲା । ଗୋବିନ୍ଦ ସାହୁ ହତ୍ୟାକାରୀ ଥିଲା ନା ନାହିଁ ? ଜଣେ ହତ୍ୟାକାରୀର ଆତ୍ମହତ୍ୟାକୁ ନେଇ ବିଜେପି ଏତେ ଲୁହ ଗଡ଼ାଉଛି କାହିଁକି ? ଓଡ଼ିଶାରେ ରାଜନୀତି କରିବାକୁ ଅନେକ ପ୍ରସଙ୍ଗ ଅଛି । ମାତ୍ର ଗୋଟିଏ ହତ୍ୟାକାରୀର ଆତ୍ମହତ୍ୟାକୁ ନେଇ ରାଜନୀତି କରିବା କେତେଦୂର ଠିକ୍ ? ନ୍ୟାୟପାଳିକା ଉପରେ ବିଜେପିର ଆସ୍ଥା ନାହିଁ କି ? ବୋଲି ବିଜେପିକୁ ସେ ପ୍ରଶ୍ନ କରିଛନ୍ତି । ମମିତାଙ୍କ ପରିବାର ତାଙ୍କର ଝିଅକୁ ହରାଇଛନ୍ତି । ସେଥିପାଇଁ ସେମାନେ ଗଭୀର ମାନସିକ ଯନ୍ତ୍ରଣା ଭୋଗ କରିଛନ୍ତି । ଏବେ ବିଜେପି ନେତାମାନେ ମମିତାଙ୍କ ହତ୍ୟାକାରୀକୁ ସମର୍ଥନ କରି ଆଉଥରେ ତାଙ୍କ ପରିବାର ଲୋକଙ୍କୁ ଅଧିକ ମାନସିକ ଯନ୍ତ୍ରଣା ଦେବାକୁ ଚାହୁଛନ୍ତି କି ? ନ୍ୟାୟ ଦେବା ପାଇଁ ଭାରତରେ ତଥା ଆମ ରାଜ୍ୟରେ ନ୍ୟାୟ ବ୍ୟବସ୍ଥା ଯଥେଷ୍ଟ ସୁଦୃଢ଼ ଓ ନିରପେକ୍ଷ ଅଛି । ତେଣୁ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ବିଜେପି ନେତାମାନେ ଅଯଥା ରାଜନୀତି ନ କରି ନ୍ୟାୟ ବ୍ୟବସ୍ଥା ଉପରେ ଆସ୍ଥା ରଖନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
