ଫୁଟବଲ୍ରୁ ସନ୍ନ୍ୟାସ ଘୋଷଣା କଲେ କରୀମ ବେଞ୍ଜେମା
ପ୍ୟାରିସ୍ : ଫିଫା ବିଶ୍ଵକପ୍ ୨୦୨୨ର ଫାଇନାଲ୍ରେ ନିଜ ଦଳର ପରାଜୟର ଗୋଟିଏ ଦିନ ପରେ ଅନ୍ତର୍ଜାତୀୟ ଫୁଟବଲ୍ରୁ ସନ୍ନ୍ୟାସ ଘୋଷଣା କଲେ ଫ୍ରାନ୍ସର ଅନୁଭବୀ ଷ୍ଟ୍ରାଇକର କରୀମ ବେଞ୍ଜେମା । ବିଶ୍ଵକପ୍ ୨୦୧୮ର ଚାମ୍ପିଅନ ଫ୍ରାନ୍ସକୁ ରୋମାଞ୍ଚକର ଫାଇନାଲ୍ରେ ଆର୍ଜେଣ୍ଟିନା ହାତରୁ ୩-୩ (ପେନାଲ୍ଟି ସୁଟଆଉଟ୍ ୪-୨)ରେ ପରାଜୟର ସାମ୍ନା କରିବାକୁ ପଡିଛି। ଏହା ପରେ ବେଞ୍ଜେମା ନିଜର ୩୫ତମ ଜନ୍ମଦିନରେ ସନ୍ନ୍ୟାସ ଘୋଷଣା କରିଛନ୍ତି।
ବେଞ୍ଜେମା ଟ୍ଵିଟ୍ କରିଛନ୍ତି, ମୁଁ ଆଜି ଯେଉଁଠି ଅଛି, ଏ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ମୁଁ ଉଦ୍ୟମ କରିଛି ଏବଂ ଭୁଲ୍ ବି କରିଛି। ଯାହାକୁ ନେଇ ମୁଁ ଆଜି ଗର୍ବିତ। ମୁଁ ନିଜର ଯେଉଁ କାହାଣୀ ଲେଖିଛି ତାହାର ଆଜି ପରିସମାପ୍ତି ଘଟୁଛି। ବାଲାନ ଡି ଆର ପୁରସ୍କାରର ଗତ ବିଜେତା ବେଞ୍ଜେମା କାତାରରେ ଫ୍ରାନ୍ସର ବିଶ୍ଵ କପ୍ ଦଳର ସଦସ୍ୟ ଥିଲେ। ମାତ୍ର ମାଂସପେଶୀରେ ଆଘାତ କାରଣରୁ ସେ ଦଳରୁ ବାଦ୍ ପଡିଥିଲେ। ୨୦୦୭ରେ ଫ୍ରାନ୍ସ ପାଇଁ ପଦାର୍ପଣ କରିଥିବା ବେଞ୍ଜେମା ୯୭ ଅନ୍ତର୍ଜାତୀୟ ମ୍ୟାଚ୍ରେ ୩୭ ଗୋଲ୍ କରିଛନ୍ତି।
ଗତ ୨୦୧୫ ନଭେମ୍ବରରେ ସେକ୍ସ ଟ୍ୟାପ୍ ମାମଲାରେ ବ୍ଲାକମେଲିଂରେ ସାମିଲ୍ ଥିବା ପ୍ରମାଣ ମିଳିବା ପରେ ବେଞ୍ଜେମାଙ୍କୁ ଦଳରୁ ପାଞ୍ଚ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା। ଏହି ସଙ୍ଗୀନ ଅଭିଯୋଗରେ ଭର୍ସେଲିନ କୋର୍ଟ ଦଣ୍ଡସ୍ଵରୂପ ଏକ ବର୍ଷ ନିଲମ୍ବିତ କରିଥିବା ବେଳେ ୭୫ ହଜାର ୟୁରୋ ଜରିମାନା ଲଗାଇଥିଲେ।
