ରାଉରକେଲା ହକି ଷ୍ଟାଡିୟମ, ବିମାନ ବନ୍ଦର ଭିତିଭୂମି ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ – ବିମାନ ସେବା ଖୁବଶୀଘ୍ର – ଜାନୁଆରୀ ୧୩ରେ ପ୍ରଥମ ମ୍ୟାଚ ଭାରତ ଓ ସ୍ପେନ ମଧ୍ୟରେ, ଆସନ୍ତା ୨୪ରୁ ନୂତନ ଅଭ୍ୟାସ ମ୍ୟାଚ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ଡିଆନ ରାଉରକେଲା ଗସ୍ତରେ ଆସି ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି ସଚିବସ୍ତରୀୟ ଟିମରେ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ସଚିବ ଆର୍ ଭିନିଲକ୍ରୀଷ୍ଣା ଏବଂ ଇଡକୋର ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ମଧ୍ୟ ରାଉରକେଲା ଆସିଥିଲେ । ଏହି ଟିମ୍ ରାଉରକେଲାରେ ବିପିୟୁଟି କ୍ୟାମ୍ପସରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଅନୁଧ୍ୟାନ କରିଥିଲେ । ଉଭୟ ମୁଖ୍ୟ ଓ ଅଭ୍ୟାସ ପଡିଆର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଷ୍ଟାଡିଅମର ଦୁଇଟି ଯାକ ପିଚ୍ ଓ ହାଇମାସ୍କ ଲାଇଟ ଯାଂଚ ପରେ ଖେଳ ପାଇଁ ଲାଇସେନ୍ସ ମିଳିଛି । ଉଲେଖନୀୟ ଯେ, ପୁରୁଷ ହକି ବିଶ୍ୱକପର ୨୦ଟି ମ୍ୟାଚ ରାଉଲକେଲାରେ ଖେଳାଯିବ । ପ୍ରଥମ ମ୍ୟାଚ ଆସନ୍ତା ଜାନୁୟାରୀ ୧୩ ତାରିଖରେ ଭାରତ ଓ ସ୍ପେନ ମଧ୍ୟରେ ଅନୁଷ୍ଠିତ ହେବ । ଏହାପୂର୍ବରୁ ଆସନ୍ତା ୨୪ ତାରିଖରୁ ତିନୋଟି ଅଭ୍ୟାସ ମ୍ୟାଚ ଖେଳାଯିବ । ଏହି ଅଭ୍ୟାସ ମ୍ୟାଚ ସମୟରେ ଯଦି କିଛି ତ୍ରୁଟିଥିବା ନେଇ ଜଣାପଡେ ତେବେ ଭିତିଭୂମିକୁ ଦୃଢ଼ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ । ଏହାସହ ରାଉରକେଲା ବିମାନ ବନ୍ଦରର କାର୍ଯ୍ୟଶେଷ ହୋଇଛି ଏବଂ ଖୁବଶୀଘ୍ର ଆବଶ୍ୟକୀୟ ଲାଇସେନ୍ସ ମିଳିବା ନେଇ ଶ୍ରୀ ମହାପାତ୍ର ଆଶାବ୍ୟକ୍ତ କରିଛନ୍ତି । ଉଡାଣ ଯୋଜନାରେ ଖେଳାଳି ମାନଙ୍କ ପାଇଁ ୪ଟି ବିମାନ ଉଡାଣ ସୁବିଧା ମିଳିବ । ଗୋଟିଏ ବର୍ଷ ମଧ୍ୟରେ ଏଭଳି ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ କରାଯାଇଛି । ଏଥିନିମନ୍ତେ ରାଜ୍ୟ ସରକାରଙ୍କୁ ସମସ୍ତ ସହଯୋଗ ପ୍ରଦାନ କରିଥିବାରୁ ସୁନ୍ଦରଗଡ ଓ ରାଉଲକେଲା ବାସୀଙ୍କୁ ମୁଖ୍ୟଶାସନ ସଚିବ ଓ ୫-ଟି ସଚିବ ଧନ୍ୟବାଦ ଦେଇଛନ୍ତି । ରାଉରକେଲାରେ ପ୍ରଥମ ଥର ପାଇଁ ହକି ବିଶ୍ୱକପ ହେବାକୁ ଯାଉଛି । ତେଣୁ ହକି ମ୍ୟାଚ ଦେଖିବା ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଦର୍ଶକ ରାଉରକେଲାକୁ ଆସିବେ । ଦର୍ଶକମାନଙ୍କ ଗାଡ଼ିଗୁଡ଼ିକୁ ସୁବିଧାରେ ରଖିବା ପାଇଁ ଷ୍ଟାଡିୟମ ଚାରିପଟେ ଆଧୁନିକ ପାର୍କିଂ ସ୍ଥଳ କରାଯାଉଛି । ଷ୍ଟାଡିୟମ ଭିତରେ ପାନୀୟ ଜଳ ଏବଂ ଶୌଚାଳୟ ଆଦି ସୁବିଧା କରାଯାଉଛି । ଯେଉଁ ଦର୍ଶକମାନେ ଷ୍ଟାଡିୟମ ବାହାରେ ରହିଥିବେ ସେମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଏଲଇଡି ଲଗାଇବାର ବ୍ୟବସ୍ଥା କରାଯାଉଛି । ଏହି ଗସ୍ତ ସମୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସହିତ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମର ବରିଷ୍ଠ ଅଧିକାରୀମାନେ ଯୋଗ ଉପସ୍ଥିତ ଥିଲେ ।ସୂଚନାଯୋଗ୍ୟ ଯେ, ୨୦୨୩ ପୁରୁଷ ହକି ବିଶ୍ୱକପ ଓଡ଼ିଶାରେ ଖେଳାଯିବ । ଏହି ବିଶ୍ୱକପ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ହେବାକୁ ଯାଉଛି । ଏହି କ୍ରୀଡ଼ା ଭିତିଭୂମି ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମର ରୂପ ନେବାକୁ ଯାଉଛି । ଏହି ଷ୍ଟାଡିୟମରେ ଏକାସାଙ୍ଗରେ ୨୦ ହଜାରରୁ ଅଧିକ ଦର୍ଶକ ବସି ଖେଳ ଉପଭୋଗ କରିପାରିବେ ।
