ବିଦ୍ୟାଳୟ ହତା ଭିତରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା : ପ୍ରେମିକ କୋର୍ଟଚାଲାଣ
ଧର୍ମଶାଳା : ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାଂଛାବଟ ବିଦ୍ୟାଳୟର ଏକ ଅସୁରକ୍ଷିତ ଶ୍ରେଣୀ ଗୃହରୁ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ପ୍ରେମିକକୁ ଗିରଫ କରି କୋର୍ଟଚାଲାଣ କରିଛି । ଏଭଳି ଘଟଣାକୁ ନେଇ ଯାଜପୁର ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଗିରଫ ଜଣକ ହେଲେ ବଡବାଲିକୁଦା ଗ୍ରାମର ୨୦ ବର୍ଷୀୟ ପ୍ରେମିକ ସୁବାଷ ବିଶ୍ୱାଳଙ୍କ ପୁଅ ସାଗର (୨୦) ବୋଲି ଜଣାପଡିଛି । ବାଲିକୁଦା ଗ୍ରାମର ମୃତା ପ୍ରେମିକା ସାଇ ସ୍ୱରୂପା ରାଉତଙ୍କ ପିତା ପଙ୍କଜଙ୍କ ଏତଲା କ୍ରମେ ବାଲିଚନ୍ଦ୍ରପୁର ପୁଲିସ ପ୍ରେମିକକୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ମୁତାବକ, ବାଲିକୁଦା ଗ୍ରାମର ସାଇସ୍ୱରୂପା ଓ ସାଗରଙ୍କ ମଧ୍ୟ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରାୟ ୨ ମାସ ହେବ ମୋବାଇଲରେ ମ୍ୟାସେଜ୍ ଓ ୱାଟସ୍ ଅପ ରେ ଉଭୟଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ଚାଲିଥିଲା । ଏନେଇ ପରିବାର ପକ୍ଷରୁ ସାଇଙ୍କୁ ତାଗିଦ କରିବା ସହ ମାରଧର କରୁଥିଲେ । ଏନେଇ ସାଇ ଶନିବାର ରାତି ପ୍ରାୟ ୧୦ଟା ସମୟରେ ମୋବାଇଲ ଯୋଗେ ସାଗରକୁ ସବୁ କଥା ଜଣାଇଥିଲା । ପରେ ସାଗର ରାତି ୧୨ଟାରେ ଗାଁ ନିକଟସ୍ଥ ସ୍କୁଲ ହତା ଭିତରେ ଥିବା ଅସୁରକ୍ଷିତ ଗୃହକୁ ଆସିବାକୁ କହିଥିଲେ । ପରେ ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ଚରମ ସୀମାରେ ପଂହଚି ଯାଇଥିଲେ । ବେକରେ ରଶି ଲଗାଇ ଦୁହେଁ ସ୍କୁଲ ଭିତରେ ମରିବାକୁ ନିସ୍ପତି ନେଇଥିଲେ । ସାଇ ରଶିରେ ଝୁଲି ପଡିଥିବା ବେଳେ କୌଣସି କ୍ରମେ ସାଗର ମରଣ ମୁହଁରୁ ବର୍ତି ଯାଇଥିଲା । ପରେ ସାଗର ୧୧୨ରେ ଫୋନ କରି ଏହି ସବୁ କଥା ଜଣାଇଥିଲା । ପରେ ୧୧୨ରୁ ବାଲିଚନ୍ଦ୍ରପୁର ଥାନାକୁ ଫୋନ କଲ ଆସିବା ପରେ ପୁଲିସ ଘଟଣାସ୍ଥଳରେ ପଂହଚି ସାଗର ସ୍କୁଲ ଭିତରେ ସବୁ କଥା କହିଥିଲା । ପରେ ପୁଲିସ ସାଗରକୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଥିଲା । ଅନ୍ୟପକ୍ଷରେ ସାଇଙ୍କ ପିତା ପଙ୍କଜ ଝିଅକୁ ସାଗର ମାରି ଦେଇଥିବା ନେଇ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ଆଜି ସାଗରକୁ କୋର୍ଟଚାଲାଣ କରିଛି ।
