କୋରାପୁଟ ଅଂଚଳକୁ ଜାତୀୟ ସ୍ତରର ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ ସମସ୍ତେ ଦାୟୀତ୍ୱ ନେବା ଉଚିତ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନବରଙ୍ଗପୁର ଯିବା ବେଳେ ବିଭିନ୍ନ ସ୍ଥାନରେ କେନ୍ଦ୍ର ମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଧନା
ଭୁବନେଶ୍ୱର : ନବରଙ୍ଗପୁର କଲେଜର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବାକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବରଙ୍ଗପୁର ପହଂଚିଥିଲେ । ଏହା ପୂର୍ବରୁ ସେ ରେଳ ଯୋଗେ କୋରାପୁଟ ପହଂଚିଥିଲେ । ସେଠାରେ ବିଜେପି କାର୍ଯ୍ୟକର୍ତା ମାନଙ୍କ ଦ୍ୱାରା ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ସେ ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ – କିଛି ଦିନ ପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋରାପୁଟ ଗସ୍ତରେ ଆସିଥିଲେ । ତାପରେ କୋରାପୁଟକୁ ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସରେ ରାଜଧାନୀ ଏକ୍ସପ୍ରେସ ଟ୍ରେନ ଭଳି ଡବା ଚଳାଇବା ବ୍ୟବସ୍ଥା କରଯାଇଥିଲା । ମୁଁ ବି ସେଦିନ ସେହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି । ସେବେ ଠାରୁ ମୋ ମନରେ ଥିଲା, ଯେବେ କୋରାପୁଟକୁ ଯିବି ଟ୍ରେନରେ ଯିବି । ଟ୍ରେନରେ ଆସିବାର ସୁଯୋଗ ମିଳିଲା । ସେ କହିଛନ୍ତି ଯେ ବିଶେଷ କରି ରାୟଗଡ଼ାରୁ କୋରାପୁଟ ପର୍ଯ୍ୟନ୍ତ ଯେଉଁ ସମୟ ଥିଲା, ବୋଧେ ଭାରତ ବର୍ଷରେ ଥିବା ଦର୍ଶନୀୟ ସ୍ଥାନ ଠାରୁ ଆମ ଅଂଚଳ ସୁନ୍ଦର । ଅନେକ ପର୍ଯ୍ୟଟନସ୍ଥଳୀ ମଧ୍ୟ ଦେଓମାଳୀ, ଗୁପ୍ତେଶ୍ୱର ଓ କୋରାପୁଟ ସହର ବୁଲିବା ପାଇଁ ଅସୁଥିଲେ । ବହୁତ ଭଲ ଅନୁଭବ ହେଲା । କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି । ବହୁତ ଦିନ ପରେ କୋରାପୁଟ ଜିଲ୍ଲାକୁ ଆସିଛି । ପୁଣି ଖୁବଶୀଘ୍ର କୋରାପୁଟ ଆସିବି । ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାକୁ ମଧ୍ୟ ଗସ୍ତ କରିବି ବୋଲି କହିଲେ ଧର୍ମେନ୍ଦ୍ର । ଏ ଅଂଚଳକୁ ବହୁତ ଆଗରୁ ଆସୁଛି । ବିଗତ ୩୦ ବର୍ଷ ଧରି ଏ ଅଂଚଳକୁ ଆସୁଛି । କୋରାପୁଟ ସବୁବେଳେ ବହୁତ ଭଲ ଲାଗେ । କୋରାପୁଟ ଅଂଚଳର ଏକ ସ୍ୱାଭାବିକ ସୁନ୍ଦରତା ଅଛି । ଏ ଅଂଚଳକୁ ଜାତୀୟ ସ୍ତରର ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ ସମସ୍ତେ ଦାୟୀତ୍ୱ ନେବା ଉଚିତ ବୋଲି ସେ କହିଛନ୍ତି ।
