ନବରଙ୍ଗପୁର ମହାବିଦ୍ୟାଳୟର ସ୍ୱର୍ଣ୍ଣ ଜୟନ୍ତୀରେ ଯୋଗ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନବରଙ୍ଗପୁର : ଉଦଘାଟିତ ହେଲା ବହୁ ପ୍ରତିକ୍ଷିତ ନବରଙ୍ଗପୁର ମହାବିଦ୍ୟାଳୟର ସୂବର୍ଣ ଜୟନ୍ତୀ ସମାରୋହ । ମୂଖ୍ୟ ଅତିଥି ରୂପେ ମାନନୀୟ କେନ୍ଦ୍ର ଶିକ୍ଷା,କୌଶଳ ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ଗୃହ,କ୍ରିଡା,ଯୁବ ବ୍ୟାପାର ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଓ ମନ୍ତ୍ରୀ ମାନନୀୟ ତୁଷାରକାନ୍ତି ବେହେରା ଙ୍କ ସମେତ ଜିଲ୍ଲାର ବହୁ ନେତୃ ବର୍ଗ ଯୋଗ ଦେଇଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ଡ ଭାସ୍କରନାଥ ବିଶ୍ୱାଳ ସ୍ୱାଗତ ଭାଷଣ ଦେବା ପରେ ଆଲୁମିନି ସଙ୍ଘର ସମ୍ପାଦିକା ସଙ୍ଗୀତା ତ୍ରୀପାଠୀ ବିବରଣୀ ପାଠ କରିଥିଲେ । ପୂର୍ବତନ ଆଲୁମିନି ତଥା ବର୍ତମାନର ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଦୀର୍ଘ ୪୨ ବର୍ଷ ପୂର୍ବରୁ ଏହି ମହାବିଦ୍ୟାଳୟ ରୁ ବିଦ୍ୟାର୍ଥୀ ଥିଲେ ଓ ସେ ଛାତ୍ରଛାତ୍ରୀଙ୍କୁ ନିଜ ଲକ୍ଷକୁ ନେଇଁ ପରିଶ୍ରମ କରିବାକୁ ନିଜ ଅଭିଭାଷଣରେ କହିଥିଲେ । ମନ୍ତ୍ରୀ ତୁଷାରକାନ୍ତି ଶିକ୍ଷାର ସଦୁପଯୋଗ କରି ଅନ୍ଧବିଶ୍ୱାସ ରୂପକ କୁସଂସ୍କାରକୁ ହଟାଇବା ପାଇଁ ଆହ୍ୱାନ ଦେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମନ୍ଧ ରେ କହିବା ସହ ଓଡ଼ିଶା ବର୍ତମାନ୍ ସାରା ବିଶ୍ୱରେ ହକିର ହବ ଭାବେ ଓଡିଶାକୁ ବିଶ୍ୱରେ ପରିଗଣିତ କରାଯାଇଥିବା କହିଥିଲେ । ଏଣୁ ୨୦୧୮ ପରେ ଆସନ୍ତା ୨୦୨୩ ବିଶ୍ୱକପ ହକି ମସାଲ ନିମନ୍ତ୍ରିତ କରିବାକୁ ସହଯୋଗର ଆଶା ବାଢିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନବରଙ୍ଗପୁର ଜିଲ୍ଲାରେ ଶିକ୍ଷାର ଢାଂଚାକୁ ବଦଳେଇବାକୁ ହେଲେ ଅଟୋନମସ କଲେଜ ନ କରି ଆଦିବାସୀ ତଥା ଉପାନ୍ତ ଅଂଚଳର ଏହି ଜିଲ୍ଲାର ଏକମାତ୍ର କଲେଜକୁ ସରକାରୀ କଲେଜର ମାନ୍ୟତା ଦାବିକୁ ପୂରଣ କରିବାକୁ ହେବ ବୋଲି କହିଥିଲେ । ଏଥିପାଇଁ କେନ୍ଦ୍ର ସହଯୋଗ କରିବ ଏବଂ ଉପସ୍ଥିତ ବିଭାଗୀୟ ମନ୍ତ୍ରୀଙ୍କ ସହ ମିଶି ମୂଖ୍ୟମନ୍ତ୍ରୀଙ୍କୁ ଏହି ବିଷୟରେ ଅବଗତ କରାଯିବାକୁ କହିଛନ୍ତି । ଏହା ସହ ସେ ରାଷ୍ଟ୍ରୀୟ ଶିକ୍ଷା ନିତୀର ଆଦର୍ଶ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହିତ ବୈଷୟିକ ଜ୍ଞାନ କୌଶଳଯୁକ୍ତ ବିଦ୍ୟା ପ୍ରଦାନ କରିବା ପାଇଁ କହିଥିଲେ । ଫଳରେ ଆଗାମୀ ଦିନରେ ପିଲାଏ ଚାକିରୀ କରିବାକୁ ପାଠ ନ ପଢି ଚାକିରୀ ତିଆରି କରିବାରେ ସହାୟକ ହେବେ ଓ ସ୍ୱବଲମ୍ବୀ ଜୀବନଜୀବିକା ନିର୍ବାହ କରିପାରିବେ । ଭାରତ ସରକାରଙ୍କ ଆଉ ଏକ ଅଭିନବ ପ୍ରୟାସରେ ନିଜ ସ୍ଥାନୀୟ ଭାଷାଗତ ଶିକ୍ଷା ମାଧ୍ୟମରେ ପାଠପଢି ପାରିଲା ଭଳି ପ୍ରୟାସ ଜାରୀ ରହିଥିବା କହିଛନ୍ତି । ଜିଲ୍ଲାରେ ୭୦ ରୁ ୭୫ ପ୍ରତିଶତ ପିଲା ସମାଜର ବଂଚିତ ବର୍ଗର ଏଠି କଲେଜ ପଢୁଥିବା ମନ୍ତ୍ରୀ କହିଛନ୍ତି । ଉପାନ୍ତ ଜିଲ୍ଲାର ଝରିଗାଁ ବ୍ଲକର ଶ୍ରୀକାନ୍ତ ସାହୁ ନାମକ ଏକ ଛାତ୍ର ଗରୀବ ଶ୍ରେଣୀରୁ ଆସି ଭିତିଭୂମିର ଅଭାବ ଯୋଗୁଁ ସେ ବହୁ କଷ୍ଟରେ ଲକ୍ଷ ହାସଲ କରିପାରିଥିବା କଥା ଏକ ଉଦାହରଣ ମାଧ୍ୟମରେ ଶ୍ରୀ ପ୍ରଧାନ ଦେଇଥିଲେ । ଭିତିଭୂମି ଠିକ ରହିଲେ ଜେଇଇ,ଆଇଆଇଟି ଭଳି ଉଚ୍ଚଶିକ୍ଷା ଲାଭ କରିପାରିବେ । ଏଣୁ ଶିକ୍ଷା ମାଧ୍ୟମରେ ପରିବର୍ତନକୁ ତ୍ୱରାନ୍ୱିତ କରିବାକୁ ହେବ,କାରଣ ନବରଙ୍ଗପୁର ପ୍ରଗତିରେ ଓଡିଶାର ପ୍ରଗତି ବୋଲି ସେ କହିଥିଲେ । ଏହାପରେ କଲେଜର ସ୍ମରଣୀକା ଓ କଲେଜ ବିିଷୟବସ୍ତୁ ଉପରେ ରାଧାନାଥ ବେହେରାଙ୍କ ପୁସ୍ତକ ଉନ୍ମୋଚିତ କରାଯାଇଥିଲା । କଲେଜର ପ୍ରଥମ ଛାତ୍ର ଭାବରେ ସତ୍ଯବାଦୀ ଷଡଙ୍ଗୀଙ୍କୁ ଅତିଥି ଶ୍ରୀଯୁକ୍ତ ପ୍ରଧାନ ସମ୍ବର୍ଦ୍ଧିତ କରିଥିଲେ । ସୂବର୍ଣ ଜୟନ୍ତୀ ଉପଲକ୍ଷେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ,ଲୋଇସିଙ୍ଗା ବିଧାୟକ ମୁକେଶ ମହାଲିଙ୍ଗ,ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ,ଜିଲ୍ଲାପାଳ ଡ କମଳଲୋଚନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ,ଆଲୁମିନାର ସଭାପତି ଗଣେଶ ଦାଶ ଓ ଅନ୍ୟାନ୍ୟ ବୁଦ୍ଧିଜିବୀ ଓ ଅବିଭାବକ ଉପସ୍ଥିତ ରହିଥିଲେ । ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରୁ କୋରାପୁଟ ଯୋଗେ ଟ୍ରେନ ମାଧ୍ୟମରେ ଆସି ରାସ୍ତା ଯୋଗେ ନବରଂଗପୁରକୁ ଆସିଥିଲେ । ଦଳୀୟ କର୍ମୀଙ୍କ ଏକ ରୋଡ ସୋ ମାଧ୍ୟମରେ ସର୍କିଟ ହାଉସ ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ଜିଲ୍ଲାପାଳ ଡ କମଳଲୋଚନ ମିଶ୍ର ସ୍ୱାଗତ ଜଣାଇଥିଲେ । ଏହା ପରେ ସେ ସିଧାସଳଖ କଲେଜ ମଂଚରେ ପହଂଚିଥିଲେ ।
