ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ
ପୁରୀ : ଭାରତ ସରକାରଙ୍କ ବିକାଶ ଆୟୁକ୍ତ ହସ୍ତଶିଳ୍ପ ବିଭାଗର ଆମ୍ବେଦକର ହସ୍ତଶିଳ୍ପ ଯୋଜନା ଅନ୍ତର୍ଗତ ହସ୍ତଶିଳ୍ପ ମେଳା ଓ ପ୍ରଦର୍ଶନୀ ନୀଳାଚଳ ହାଟ ପରିସରରେ ଉଦଘାଟିତ ହୋଇଯାଇଛି । ସୁନାମଧନ୍ୟ ବରିଷ୍ଠ ପଟ୍ଟଚିତ୍ର ଶିଳ୍ପୀ ଗୁରୁ ବନମାଳି ମହାପାତ୍ର ଏହାକୁ ଉଦଘାଟିତ କରିଥିଲେ । ସମ୍ମାନତି ଅତିଥି ଭାବେ ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆୟୁକ୍ତ ବରିଷ୍ଠ ସହାୟକ ନିର୍ଦ୍ଦେଶକ ଅଶୋକ କୁମାର ହୋତା,ପୁରୀ ସହାୟକ ନିର୍ଦ୍ଦେଶକ ଶ୍ରୀକାନ୍ତ ଶ୍ରୀଚନ୍ଦନ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ ପ୍ରଧାନ, ଡ଼ିଜାଇନର ରାମାନୁଜ ବୈରୀଗଂଜନ, ଜାତୀୟ ପୁରସ୍କାର ପ୍ରାପ୍ତ ଶାମୁକା ଶିଳ୍ପୀ ଜଗନ୍ନାଥ ମହାପାତ୍ର,ଅର୍ବାନହାଟ ଇନଚାର୍ଜ ପ୍ରଦୀପ କୁମାର ମିଶ୍ର, ଅଭିନନ୍ଦନିକା ସମ୍ପାଦକ ଶ୍ୟାମପ୍ରକାଶ ସେନାପତି ପ୍ରମୁଖ ଯୋଗ ଦେଇଥିଲେ । ଐତିହ୍ୟ ଗ୍ରାମ ରଘୁରାଜପୁରର ହସ୍ତଶିଳ୍ପ ପଟ୍ଟଚିତ୍ର ପ୍ରଡ଼୍ୟୁସର କୋ.ଲିଃ. ପକ୍ଷରୁ ଆୟୋଜିତ ୧୦ ଦିନିଆ ହସ୍ତଶିଳ୍ପ ପ୍ରଦର୍ଶନୀ ମେଳାକୁ ଅନୁଷ୍ଠାନର ନିର୍ଦ୍ଦେଶକ ବିଶ୍ୱନାଥ ସ୍ୱାଇଁ,ପରିଚାଳନା ନିର୍ଦ୍ଦେଶିକା ସଞ୍ଜୁକ୍ତା ପ୍ରଧାନ ପ୍ରମୁଖ ଯୋଗ ଦେଇ ହସ୍ତଶିଳ୍ପର ବିକ୍ରି ଓ ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରିବାକୁ କହିଥିଲେ । ଏହି ପ୍ରଦର୍ଶନୀରେ ପଟ୍ଟଚିତ୍ର, କାଗଜମୁଖା,ଗୋବର କଣ୍ଢେଇ,ଚାନ୍ଦୁଆ,ତାଳପତ୍ର,ପଥର, କତା କଣ୍ଢେଇ ,କାଇଁଚ,ସିପ.ସାମୁକା ଆଦି ଘରେ ବ୍ରବହାର ସାମଗ୍ରୀର ୩୦ଟି ଷ୍ଟଲ ଖୋଲା ଯାଇଛି । ଏହି ମେଳା ଦିନ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲୁ ରହିବ ।
