କାର୍ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ
ବଲାଙ୍ଗିର : ଆଜି ସକାଳେ ସୁବର୍ଣ୍ଣପୁର-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଛି । ମୃତକ ଜଣକ ଏକ ସାଇକେଲ ଯୋଗେ ବଲାଙ୍ଗିର ପଟକୁ ଯାଉଥିବା ବେଳେ ଅପରପାର୍ଶ୍ୱରୁ ଆସୁଥିବା ଏକ କାର ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ସାଇକେଲ ଆରୋହି ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ଗୁରୁତର ସାଇକେଲ ଆରୋହିଙ୍କୁ ଆମ୍ବୁଲାନ୍ସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ତେବେ ଡାକ୍ତର ଗୁରୁତର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅତ୍ୟଧିକ ରକ୍ତସ୍ରାବ ଓ ମୁଣ୍ଡରେ ଗୁରୁତର ଆଘାତ ଯୋଗୁଁ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇଥିବା କାର ଫେରାର ହୋଇଯାଇଥିବା ବେଳେ ମୃତ ସାଇକେଲ ଆରୋହୀଙ୍କ ପରିଚୟ ମିଳିନାହିଁ ।ସଦର ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ବ୍ୟକ୍ତିଙ୍କ ପରିଚୟ ଖୋଜିବା ସହିତ ଘଟଣାର ତଦନ୍ତ କରୁଛି ।
