ଜାତିପ୍ରେମୀ ଓ ପ୍ରଜାବତ୍ସଳ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ
ଭୁବନେଶ୍ୱର : ଉତ୍କଳ ସମ୍ମିଳନୀ ପ୍ରଥମ ସଭାପତି ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୨ ତମ ଜନ୍ମ ଦିବସ ଉପଲକ୍ଷେ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ଶନିବାର ପୂର୍ବାହ୍ନରେ ସ୍ଥାନୀୟ ପାୱାର ହାଉସ୍ ଛକସ୍ଥିତ ଉକ୍ତ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାପରେ ସମ୍ମିଳନୀ କେନ୍ଦ୍ରୀୟ ସଭାପତି ବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ଏବଂ ସାଧାରଣ ସଂପାଦକ ଡା. ରାଧାନାଥ ପ୍ରହରାଜଙ୍କ ଦ୍ୱାରା ପରିଚାଳିତ ଏକ ସଭାରେ ମହାରାଜାଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି ଅବସରରେ ବକ୍ତାମାନେ ତାଙ୍କୁ ପ୍ରାତଃ ସ୍ମରଣୀୟ ପ୍ରଜାବତ୍ସଳ ରାଜା ଭାବରେ ଉପସ୍ଥାପନ କରି ସେ ରାଜା ହୋଇ ମଧ୍ୟ କିପରି ନିରାଡମ୍ବର ଜୀବନଯାପନ ସହ ପ୍ରଜାମାନଙ୍କ ପାଇଁ ସେ ସମୟରେ ବହୁ ସଂଖ୍ୟାରେ ବିଦ୍ୟାଳୟ, ଚିକିତ୍ସାର ସୁବିଧା, ରେଳ ଗାଡ଼ିର ପ୍ରଚଳନ, ଜଳପ୍ରପାତମାନଙ୍କରୁ ବିଦ୍ୟୁତ ଉତ୍ପାଦନ ଉଦ୍ୟମ, ପାଂଚ ଶହ ମାଇଲ ରାସ୍ତା ଏବଂ କଳାକାରଖାନା ମଧ୍ୟ ବସାଇ ଥିବା ଇତ୍ୟାଦି ବିଷୟ ଅବତାରଣା କରିଥିଲେ ।
ଏତଦ୍ବ୍ୟତୀତ ସେ କିପରି ସମଗ୍ର ଓଡ଼ିଆ ଜାତି ଏବଂ ଭାଷାର ଉନ୍ନତି ହେବ ସେ ଦିଗରେ ଚିନ୍ତା କରୁଥିବାରୁ ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ହୋଇ ସଂପୂର୍ଣ୍ଣ ଓଡ଼ିଆ ଜାତିକୁ ଦିଗ୍ଦିର୍ଶନ ଦେଇ ଓଡ଼ିଶା ରାଜ୍ୟ ଗଠନର ଅନ୍ୟତମ ପ୍ରମୁଖ କାଣ୍ଡାରି ଭାବରେ ସ୍ମରଣୀୟ ହୋଇ ପାରିଛନ୍ତି ସେ ବିଷୟ ଆଲୋଚନା ପରିସରଭୁକ୍ତ ହୋଇଥିଲା । ଶେଷରେ ପାୱାର ହାଉସ୍ ଛକ ଠାରୁ ସି.ଆର୍.ପି. ଛକ ପର୍ଯ୍ୟନ୍ତ ରାସ୍ତାକୁ ଉତ୍କଳ ସମ୍ମିଳନୀ ସରଣୀ ଭାବରେ ନାମିତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ଦୀର୍ଘବର୍ଷତଳୁ ଆଇନ ବ୍ୟବସ୍ଥାନୁଯାୟୀ ନିଷ୍ପତି ଗ୍ରହଣ କରିସାରିଥିବାରୁ ଏବଂ ଏହା ମଧ୍ୟ ମହାରାଜାଙ୍କ ସ୍ମୃତିରକ୍ଷା ଦିଗରେ ଏକ ପଦକ୍ଷେପ ହେତୁ ଏଥିପାଇଁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଯାଇଛି ।
