ବିଜେପିର ପଦାଧିକାରୀ ବୈଠକ ସଂଗଠନକୁ ସୁଦୃଢ଼ କରିବା ସହ ଜନବିରୋଧୀ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇବ ବିଜେପି
ଭୁବନେଶ୍ୱର : ଜନବିରୋଧୀ ରାଜ୍ୟ ସରକାରଙ୍କ ମିଛ ପ୍ରତିଶୃତି ଓ ପ୍ରତାରଣା ବିରୁଦ୍ଧରେ ଭାରତୀୟ ଜନତା ପାର୍ଟୀ ଆଗାମୀ ଦିନରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢେଇକୁ ଆହୁରି ଶାଣିତ କରିବ । ଜନବିରୋଧୀ ନବୀନ ସରକାର ଓଡ଼ିଶାବାସୀଙ୍କ ଦେଇଥିବା ମିଛ ପ୍ରତିଶୃତିକୁ ପଦାରେ ପକାଇବା ସହ ଏହାର ପର୍ଦ୍ଦାଫାଶ କରିବା ପାଇଁ ଭାରତୀୟ ଜନତା ପାର୍ଟି ସମସ୍ତ ଯୋଜନା ପ୍ରସ୍ତୁତ କରିସାରିଛି । ଏନେଇ ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି. ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟ ପାଲସିଂତୋମାର ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ରାଜ୍ୟ ପଦାଧିକାରୀଗଣ ଉପସ୍ଥିତ ଥିଲେ । ବୈଠକ ସଂପର୍କରେ ସୁଚନା ଦେଇ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ନିକଟ ଅତୀତରେ ଶେଷ ହୋଇଥିବା ଧାମନଗର ଓ ପଦ୍ମପୁର ବିଧାନସଭାର ଉପନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା କରାଯାଇଥିଲା । ରାଜ୍ୟ ସରକାର ଚାଷୀମାନଙ୍କୁ ଯେଉଁଭଳି ପ୍ରତାରିତ କରିଆସୁଛନ୍ତି ଏବଂ ରାଜ୍ୟର ଚାଷ ଓ ଚାଷୀ ସମୁଦାୟଙ୍କୁ ହତ୍ୟା କରିବା ଲାଗି ଯେଉଁ ଷଡଯନ୍ତ୍ର କରୁଛନ୍ତି ଏବଂ ନିଜର ସ୍ୱାର୍ଥ ଦୃଷ୍ଟିରୁ ଯେଭଳି ବ୍ୟବହାର କରୁଛନ୍ତି ତାହାକୁ ବିଜେପି ଦୃଢ଼ ନିନ୍ଦା କରୁଛି । ଓଡ଼ିଶାର ଗ୍ରାମାଂଚଳର ସାମଗ୍ରିକ ବିକାଶ ପାଇଁ ଉର୍ଦ୍ଦିଷ୍ଟ ପଂଚାୟତରାଜ ବ୍ୟବସ୍ଥା ବା ଅନୁଷ୍ଠାନକୁ ରାଜନୈତିକ ବ୍ୟବହାର କରୁଛନ୍ତି ସରକାର । ବ୍ଲକରେ ଜିଏସ୍ଟି ଠକେଇ ହେଉଛି । ଜିଏସ୍ଟି ଠକେଇ ମୁଖ୍ୟ ନାୟକ ସାଜିଛନ୍ତି ରାଜ୍ୟ ସରକାର । ଓଡ଼ିଶା ପ୍ରଦେଶରେ ବିଜୁଳି ଉପଭୋକ୍ତାମାନଙ୍କୁ ବିଭିନ୍ନ ଆଳରେ ଆର୍ôଥକ ଅତ୍ୟାଚାର କରାଯାଉଛି । ଟାଟାପାୱାର ଆଳରେ ରାଜ୍ୟ ସରକାର ଓ ଓଇଆରସି ଏଠି ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଅବହେଳା କରିବା, ଆର୍ôଥକ ନିଯ୍ୟାତନା ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶା ପ୍ରଦେଶର ଯୁବକ ଯୁବତୀମାନଙ୍କୁ ଚାକିରି କିମ୍ବା ନିଯୁକ୍ତି ଦେବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅକ୍ଷମ ହୋଇଛନ୍ତି । ଏସମସ୍ତ ବିଷୟକୁ ନେଇ ଏକ ଲଢ଼େଇର ଯୋଜନା ପ୍ରସ୍ତୁତ କରିଛି ଦଳ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଦଳକୁ ଆହୁରି ଅଧିକ ସଶକ୍ତ କରିବା ଲାଗି ଓ ସାଧାରଣ ଲୋକଙ୍କ ସହ ସଂଯୋଗ, ଲୋକ ଓ ରାଜ୍ୟ ସମସ୍ୟା ସହ ଯୋଡି ରଖିବା ପାଇଁ ଦଳକୁ କେବଳ ତୃଣମୂଳ ସ୍ତରରେ ସଶକ୍ତ କରିବା ନୁହେଁ ଜନବିରୋଧୀ ରାଜ୍ୟ ସରକାର ବିରୋଧରେ ନିର୍ଣ୍ଣାୟକ ଆନ୍ଦୋଳନର ଯୋଜନା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି । ଯୁବକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅମନଯୋଗିତା ବିରୋଧରେ ବିଜେପି ଏକ ଲମ୍ବା ସମୟ ଧରି ଆନ୍ଦୋଳନ ଜାରି ରଖିବ ନିଷ୍ପତି ନେଇଛି । ବୈଠକରେ ସମସ୍ତ ଆନ୍ଦୋଳନ ପାଇଁ ସ୍ପଷ୍ଟ ଯୋଜନାର ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି । ତୃଣମୂଳସ୍ତରରେ ସଂଗଠନକୁ ମଜଭୁତ୍ କରିବା ସହ ରାଜ୍ୟ ସରକାର ତାଙ୍କର ଜନବିରୋଧୀ ନିଷ୍ପତି ପରିବର୍ତନ ନକରିବା ପର୍ଯ୍ୟନ୍ତ କ୍ରମାଗତ ଭାବେ ନିର୍ଣ୍ଣାୟକ ଆନ୍ଦୋଳନ ଜାରି ରଖିବ ଭାରତୀୟ ଜନତା ପାର୍ଟି ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି । ଅର୍ଥନୈତିକ ଘଡିସନ୍ଦି ମୁହୂର୍ତରେ ଭାରତ ଯେପରି ବିଶ୍ୱରେ ନିଜର ସ୍ଥିତିକୁ ଜାହିର କରି ପାରିଛି ତାହା ସମ୍ପର୍କରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱ ଉପରେ ଆଲୋଚନା କରାଯାଇଥିଲା । ଜି-୨୦ ସମ୍ମିଳନୀରେ ଓଡିଶାରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକକୁ ସଫଳ କରିବା ସହିତ ଓଡିଶାର ସୁନାମ ବିଶ୍ୱବ୍ୟାପୀ ପହଂଚାଇବା ପାଇଁ ସମସ୍ତ ବିଜେପି କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦିଆଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଏହି ବୈଠକ ପରେ କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଆଗାମୀ ଦିନର ରୋଡ ମ୍ୟାପ୍ ସମ୍ପର୍କରେ ସବିଶେଷ ଚର୍ଚ୍ଚା ଆଲୋଚନା ହୋଇଥିଲା । ସେହିପରି ଦଳର ଆନ୍ଦୋଳନ କମିଟିର ନେତୃତ୍ୱମାନେ ଏକ ବୈଠକରେ ସମ୍ମିଳୀତ ହୋଇ ଆଗାମୀ ଦିନରେ ଜନବିରୋଧୀ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନର ଖସଡା ପ୍ରସ୍ତୁତ କରାଯାଇଛି । ଏହି ବୈଠକରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର, ରବି ନାୟକ ପ୍ରମୁଖ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
