ଆଜି ବାତ୍ୟା ‘ୟାସ୍’ ପ୍ରଭାବିତ ୪ ଜିଲାରେ କ୍ଷୟକ୍ଷତିର ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର : ଭୁବନେଶ୍ୱରରେ କେନ୍ଦ୍ରୀୟ ଟିମ୍ । ବାତ୍ୟା ୟାସ୍ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ରବିବାର ସଂଧ୍ୟାରୁ ଭୁବନେଶ୍ବରରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ କୁମାର ବର୍ଣ୍ଣଓ୍ୱାଲଙ୍କ ନେତୃତ୍ୱରେ ଏହି ଟିମ୍ ଆସିଛି। ଏହି ୭ ଜଣିଆ କେନ୍ଦ୍ରୀୟ ଟିମ୍ ଆଜିଠୁ ଦୁଇଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିବେ। ଆଜି ୪ ଟି ବାତ୍ୟା ପ୍ରଭାବିତ ଜିଲ୍ଲା ପରିଦର୍ଶନ କରିବ ଏହି ଟିମ୍ । ୨ ଭାଗରେ ବିଭକ୍ତ ହୋଇ ଏହି ଟିମ୍ ୨ ଟି ଲେଖାଁଏ ଜିଲ୍ଲା ଭିଜିଟ୍ କରିବ । ୨ ଦିନର ଅନୁଧ୍ୟାନ ପରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହ ଏହି ଟିମ୍ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । କ୍ଷୟ କ୍ଷତି ର ଆକଳନ କରିବା ପରେ ଟିମ୍ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବ ।
ଟିମରେ ୪ଜଣ ଓଡିଆ ଅଧିକାରୀ ଅଛନ୍ତି ଯେଉଁମାନେ ଦୁଇ ଦିନିଆ ସରକାରୀ ଗସ୍ତରେ ଆସି ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିବେ ଓ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଉପସ୍ଥାପନ କରିଛନ୍ତି। କେନ୍ଦ୍ରୀୟ ଟିମରେ ୪ ଜଣ ଓଡ଼ିଆ ଅଫିସର ଥିଲା ବେଳେ ରାଜ୍ୟ ସରକାରଙ୍କ ଶକ୍ତି, ପୂର୍ତ୍ତ ଓ ଜଳସଂପଦ ବିଭାଗ ପଦାଧିକାରୀ ମଧ୍ୟ ବାତ୍ୟାଞ୍ଚଳ ଗସ୍ତରେ ଟିମ୍ ସହ ସାମିଲ ହେବେ । ଏହି ଟିମ୍ ଆଜି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ମୟୂରଭଞ୍ଜର ପ୍ରଭାବିତ ଜିଲା ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବେ। ସରକାରୀ ସୂଚନା ଅନୁସାରେ ୪ ଜଣିଆ ଟିମ୍ ସୋମବାର ପ୍ରଥମେ ବାଲେଶ୍ୱର ଜିଲା ଗସ୍ତ କରି ତୃଣମୂଳସ୍ତରରୁ ବାତ୍ୟାର କ୍ଷତି ଆକଳନ କରିବେ । ଅନ୍ୟ ୩ ଜଣିଆ ଟିମ୍ ଭଦ୍ରକ ଗସ୍ତରେ ଯିବ । ଦୁଇ ଜିଲାର ସ୍ଥିତି ଅନୁଧ୍ୟାନ କରିବା ପରେ ବାଲେଶ୍ୱର ଯାଇଥିବା ଟିମ୍ ମଙ୍ଗଳବାର ମୟୂରଭଞ୍ଜ ଏବଂ ଭଦ୍ରକ ଯାଇଥିବା ଟିମ୍ କେନ୍ଦ୍ରାପଡ଼ା ଜିଲା ଗସ୍ତରେ ଯାଇ କ୍ଷୟକ୍ଷତି ଆକଳନ କରିବେ । ସୂଚନା ଯେ, ବାତ୍ୟା ୟାସର କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରରୁ ଏହି ଟିମ୍ ଓଡ଼ିଶା ଆସିଛି। ପୂର୍ବରୁ ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ ମଧ୍ୟ କରୁଛନ୍ତି। ଜିଲ୍ଲା ପ୍ରଶାସନ ମାଧ୍ୟମରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଅନୁସାରେ ୬୧୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ଏବେ କେନ୍ଦ୍ରୀୟ ଟିମ୍ ଆସି ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକ ପରିଦର୍ଶନ କରିବ।
