ବିଶ୍ୱ ହକି ଖେଳ ପାଇଁ ଉଠାଦୋକାନୀ ଉଚ୍ଛେଦକୁ ଜୋରଦାର ବିରୋଧ କରାଯିବ
ଭୁବନେଶ୍ୱର : ଭୁବନେଶ୍ୱର ଏବଂ ରାଉରକଲାରେ ଜାନୁୟାରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ କପ୍ ହକି ଖେଳ ପାଇଁ ରାଜଧାନୀ ଭୁବନେଶ୍ୱରକୁ ସରସ, ସୁନ୍ଦର ଓ ସୌନ୍ଦର୍ଯ୍ୟକରଣ କରିବା ଆଳରେ ବିଏମ୍ସି, ବିଡ଼ିଏ, ଜିଏ, ଜାତୀୟ ରାଜପଥ ଏବଂ ପୋଲିସ୍ ପ୍ରଶାସନ ମିଳିତ ପ୍ରୟାସରେ ବସ୍ତିବାସିନ୍ଦା ଓ ଉଠାଦୋକାନୀମାନଙ୍କୁ ଯେଭଳି ଭାବରେ ଉଚ୍ଛେଦ କରାଯାଉଛି ତାହା କୌଣସି ଅମାନୁଷିକ ଘଟଣା ଠାରୁ କିଛି କମ୍ ନୁହେଁ । ଗରିବ ଉଠାଦୋକାନୀ ଓ ବସ୍ତିବାସିନ୍ଦା ମାନଙ୍କ ଦାନା ପାଣି ମାରିବା ଏହି ଉଚ୍ଛେଦର ମୂଳ ଲକ୍ଷ୍ୟ ବୋଲି ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ ସାହୁ ପ୍ରକାଶ କରିଛନ୍ତି । ଉଠାଦୋକାନୀମାନଙ୍କ ଥଇଥାନ ପାଇଁ ଆଇନ ଥିବା ବେଳେ ତାହାକୁ ନ ମାନି ଯେଉଁଭଳି ଭାବରେ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରାଯାଉଛି ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଯଦି ରାଜ୍ୟ ସରକାର ଉଠାଦୋକାନୀମାନଙ୍କୁ ଆଇନ ଅନୁଯାୟୀ ଥଇଥାନ ନକରି ଉଚ୍ଛେଦ ଜାରି ରଖନ୍ତି, ତେବେ ବାଧ୍ୟ ହୋଇ ଓଡ଼ିଶା ଉଠାଦୋକାନୀ ମହାସଂଘ ରାଜରାସ୍ତାକୁ ଓହ୍ଲାଇବା ସହ ନବୀନ ନିବାସ , କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲା ଷ୍ଟାଡ଼ିୟମ ସମ୍ମୁଖରେ ହଜାର ହଜାର ଉଠାଦୋକାନୀ ଓ ବସ୍ତିବାସିନ୍ଦା ଧାରଣାରେ ବସିବେ ବୋଲି ଶ୍ରୀ ସାହୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
