ରାଜଧାନୀରେ ମଶା ସମସ୍ୟା ନେଇ ବିଏମ୍ସି ଅଫିସ ଘେରିଲା ବିଜେପି
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମଶାଙ୍କ ଉପଦ୍ରବ ସମସ୍ୟା ନେଇ ଶୁକ୍ରବାର ବିଏମସି ଅଫିସ୍ ଘେରାଉ କରିଛି ଭୁବନେଶ୍ୱର ଜିଲ୍ଲା ବିଜେପି । ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଆଜି ବିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ଧୂଆଁ ଲଗାଇ, ମଶାରୀ ଟାଣି ବିଏମ୍ସି ମେୟର ଓ କମିଶନରଙ୍କୁ ନିଦ୍ରାରୁ ଜାଗ୍ରତ କରିବା ପାଇଁ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ଶ୍ରୀ ସିଂ କହିଛନ୍ତି ଯେ ବିଏମ୍ସିର ଅବହେଳା କାରଣରୁ ଆଜି ରାଜଧାନୀରେ ଦିନବେଳା ବି ମଶାମାନେ ଲୋକଙ୍କୁ ଟେକି ନେବାର ପରିସ୍ଥିତି ସୃଷ୍ଟି ହୋଇଛି । ମଶାଙ୍କ ଲାଗି ଜନସାଧାରଣ ଅସ୍ତବ୍ୟସ୍ତ ହେଉଥିବାବେଳେ ଭୁବନେଶ୍ୱର ମେୟର ଡ୍ରୋନ ଦ୍ୱାରା ମଶା ମାରିବାର ଗପ ଶୁଣାଇ ଭୂଆଁ ବୁଲାଉଛନ୍ତି । ବିଏମ୍ସି ସେବା ଯୋଗାଇବା ବଦଳରେ କେବଳ ଟଙ୍କା ଆଦାୟରେ ମାତିଛି । ରାଜଧାନୀରେ ମଶା ନିୟନ୍ତ୍ରଣ କରିବାରେ ବିଏମ୍ସି ବିଫଳ ହୋଇଛି । ଆଜି ଘରେ ଘରେ ଡେଙ୍ଗୁ ରୋଗ ପ୍ରଧାନ୍ୟ ବିସ୍ତାର କରିସାରିଛି । ଯଥାଶୀଘ୍ର ବିଏମ୍ସି ରାଜଧାନୀର ମୌଳିକ ସୁବିଧା ଯୋଗାଉ ନଦେଲେ ଜନସାଧାରଣ ଏହାକୁ ଓପାଡି ଫୋପାଡି ଦେବେ ବୋଲି ବିଏମ୍ସି ମେୟର ଓ କମିଶନରଙ୍କୁ ଆନ୍ଦୋଳନ ମାଧ୍ୟମରେ ଶ୍ରୀ ସିଂ କଡା ଚେତାବନୀ ଦେଇଛନ୍ତି ।
