ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର
- ୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ତେଲ ଦାମ ୧୦୦ ପାର
ନୂଆଦିଲ୍ଲୀ : ଦେଶରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଦେଶରେ କ୍ରମାଗତ ଭାବେ ଡର ବଢି ଏବେ ସର୍ବୋଚ୍ଚ ସ୍ତରରେ ପେଟ୍ରୋଲ ଦର । ୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ତେଲ ଦାମ ୧୦୦ ପାର ହୋଇଛି । ଗୋଟିଏ ପଟେ କରୋନା ସଂକ୍ରମଣ ଦାଉ ସାଧୁଥିବା ଅନ୍ୟପଟେ ତେଲ ଦର ବୃଦ୍ଧି ଲୋକଙ୍କୁ ଆହୁରି ଦୁର୍ବିସହ କରି ଦେଉଛି। ତେଲ ଦର ବଢିଲେ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଘଟୁଛି। ଦେଶର ଇତିହାସରେ ପେଟ୍ରୋଲ ଦର କେବେ ମଧ୍ୟ ଏତିକି ମହଙ୍ଗା ହୋଇନଥିଲା।
ରବିବାର ଦିନ ପେଟ୍ରୋଲ ଲିଟର ପିଛା ୨୭ ପଇସା ଓ ଡିଜେଲ ୨୯ ପଇସା ବୃଦ୍ଧି କରିଛନ୍ତି । ଏହାକୁ ମିଶାଇ ଗତ ୩୪ ଦିନରେ ଅର୍ଥାତ ମେ ୪ ପରଠାରୁ ତେଲ ଦର ୧୯ ଥର ବଢିଲାଣି । ଏହି ୧୯ ଥରରେ ପେଟ୍ରୋଲ ମୋଟ ୪ଟଙ୍କା ୬୩ପଇସା ଓ ଡିଜେଲ ୫ଟଙ୍କା ୨୨ପଇସା ମହଙ୍ଗା ହୋଇଛି । ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୫ଟଙ୍କା ୩ପଇସା ଓ ଡିଜେଲ ଲିଟର ପିଛା ୮୫ଟଙ୍କା ୯୫ପଇସାରେ ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୧ଟଙ୍କା ୨୫ପଇସା ଓ ଡିଜେଲ ଲିଟର ପିଛା ୯୩ଟଙ୍କା ୩୦ପଇସାରେ ବିକ୍ରି ହେଉଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ୯୫ଟଙ୍କା ୪୯ପଇସାରେ ପହଞ୍ଚିଯାଇଛି । ସେହିପରି ଡିଜେଲ ଦର ୯୩ଟଙ୍କା ୩୪ପଇସାରେ ପହଞ୍ଚିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି ।
ବର୍ତ୍ତମାନ ୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ରାଜସ୍ଥାନ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଓ ଲଦାଖରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଅତିକ୍ରମ କରିଛି। ବିଶ୍ଵ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପ୍ରତି ୭୨ ଡଲାରରେ ପହଞ୍ଚିଛି। ଏହା ଗତ ଦୁଇ ବର୍ଷରେ ସର୍ବୋଚ୍ଚ ସ୍ତରରେ ରହିଛି। ଦେଶର ରାଜସ୍ଥାନରେ ମଧ୍ୟ ସର୍ବାଧିକ ଭାଟ୍ ଲାଗିଥାଏ। ଏହା ପରେ ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର , ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା ରହିଛି। ମୁମ୍ବାଇ ଦେଶର ପ୍ରଥମ ମହାନଗର ଯେଉଁଠି ମେ ୨୯ରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଛୁଇଁଥିଲା। ମୁମ୍ବାଇରେ ବର୍ତ୍ତମାନ ପେଟ୍ରୋଲ ୧୦୧.୩ ଏବଂ ଡିଜେଲ୍ ୯୩.୩୫ ଟଙ୍କା ପ୍ରତି ଲିଟର ରହିଛି। ଚଳିତ ବର୍ଷ ମେ ୪ ପରେ ଦେଶରେ ପେଟ୍ରୋଲ, ଡିଜେଲ୍ ଦାମରେ ୨୦ ଥର ବୃଦ୍ଧି ଘଟିଲାଣି। ଏହି ସମୟରେ ପେଟ୍ରୋଲ ୪.୬୯ ଟଙ୍କା ଏବଂ ଡିଜେଲ୍ ୫.୨୮ ଟଙ୍କା ଲିଟର ପିଛା ବଢିଛି।
