ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ : ସାମିଲ ହେଲେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଳା ପ୍ରଶାସନ, ପରିବହନ ବିଭାଗ ତଥା ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଆଜି ସଡ଼କ ସୁରକ୍ଷା ପାଳନ ଅବସରରେ ହରଡଖୋଲ ଠାରେ ଥିବା ଜିଲା ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଙ୍ଗ କେନ୍ଦ୍ର ସମ୍ମୁଖ ରାଜରାସ୍ତାରେ ଦୁଇ ଚକିଆ, ଚାରି ଚକିଆ ଯାନର ଯାଂଚ୍ ତଥା ଚାଳକଙ୍କୁ ସଡ଼କ ସୁରକ୍ଷା ପାଇଁ ଥିବା ନିୟମ କାନୁନ ସମ୍ବନ୍ଧରେ ସଚେତନତା କରାଯାଇଛି । ସାମ୍ପ୍ରତିକ ସ୍ଥିତିରେ ଗାଡି ଚାଳକ ମାନେ ସଡ଼କ ସୁରକ୍ଷାର ବିଧି ବ୍ୟବସ୍ଥା ମାନୁ ନ ଥିବାରୁ ପ୍ରତ୍ୟେକ ଦିନ ଅନେକ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହେଉଛି । ଏହାକୁ ଦୃଷ୍ଟିରେ ରଖି ବିଶେଷ କରି ବାଇକ ଚାଳକ ଓ ପଛ ପଟରେ ବସିଥିବା ଲୋକ ହେଲମେଟ ପରିଧାନ କରୁନଥିବାରୁ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଏଣୁ ଏହାକୁ ରୋକିବା ଦିଗରେ ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ସାମିଲ କରାଯାଇଛି । ଆଜି ଏନେଇ ମଦର ଟେରେସା ବ୍ଲକ ମିଶନ ଶକ୍ତି ଫେଡେରେସନର ସଦସ୍ୟା ବୃନ୍ଦଙ୍କ ଦ୍ୱାରା ସୋନପୁର- ବଲାଙ୍ଗୀର ରାସ୍ତାର ହରଡଖୋଲ ଠାରେ ବିନା ହେଲମେଟ ପରିଧାନ କରି ଯାଉଥିବା ଚାଳକଙ୍କୁ ସଚେତନତା କରାଇବା ସହ ୧ ହଜାର ଟଙ୍କା ବିନିମୟରେ ଗୋଟିଏ ଲେଖାଏଁ ହେଲମେଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ଆଂଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା, ଡେପୁଟି କଲେକ୍ଟର ଅଭିଳାଷ ପୁରୋହିତ, ଜିଲ୍ଳା ସଂଯୋଜକ ମିଶନ ଶକ୍ତି କାର୍ତିକ ନାୟକ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବିଭାଗୀୟ କର୍ମକର୍ତା, ପୋଲିସ ବିଭାଗର ଅଧିକାରୀ, ସାମ୍ବାଦିକ ପ୍ରମୁଖ ସାମିଲ ରହିଥିଲ ।
