ପୋକ ସାଲୁବାଲୁ ହୋଇ ଜୀବନ ସହ ସଂଘର୍ଷରତ ବୃଦ୍ଧଙ୍କ ପାଇଁ ବଢ଼ିଲା ସହାୟତାର ହାତ
ନୀଳଗିରି : ଆଜିବି ବଞ୍ଚି ରହିଛି ମାନବିକତା । ମାନବ ସେବାହିଁ ମାଧବ ସେବା, ସେବା ହେଉଛି ମଣିଷର ପରମ ଧର୍ମ । ଅସହାୟ ପୋକ ସାଲୁବାଲୁ ହୋଇ ଶୀତ କାକରରେ ଜୀବନ ସହ ଜୁଝୁଛନ୍ତି ଜଣେ ଅସହାୟ ବୃଦ୍ଧ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ନୀଳଗିରିରେ । ବୃଦ୍ଧ ଜଣଙ୍କୁ ପ୍ରଥମେ ସଜନାଗଡ଼ ସରପଞ୍ଚ ପ୍ରଦୀପ କୁମାର ଖାଲପାଳିଆ ସହାୟତାର ହାତ ବଢ଼ାଇଥିବା ବେଳେ ଏବେ ତାଙ୍କ ପ୍ରତି ସହାୟତାର ହାତ ବଢ଼ି ଚାଲିଛି ।
ସୂଚନା ଯେ, ପ୍ରଥମେ ସଜନାଗଡ଼ ବଜାରରେ ଜଣେ ଅଜଣା ବୃଦ୍ଧ ଲୋକ ୪ ଦିନ ପୁର୍ବରୁ ଆସିଥିବା ବେଳେ ଚାଲିନପାରି ରାସ୍ତା କଡ଼ରେ ଦୁଇ ହାତ ଓ ଗୋଟିଏ ଗୋଡ଼ ତଳେ ଲଗାଇ ଘୋଷାରି ଘୋଷାରି ହୋଇ ବିଭିନ୍ନ ଦୋକାନ ସାମ୍ନାରେ ଘଣ୍ଟା ଘଣ୍ଟା ବସି ରହୁଥିଲେ । ଚାଲିବାର ଶକ୍ତି ହରାଇବା ସହ ନିଜ କଥାକୁ କାହାରି ପାଖରେ କହିବାକୁ ମଧ୍ୟ ଅସହାୟ ହେଉଥିବା ବେଳେ ସମସ୍ତଙ୍କୁ ସାହାଯ୍ୟ ମାଗିବା ଭଳି ଅନାଉଥିଲେ । ବାମ ଗୋଡ଼ର ପାଦ କ୍ଷତ ପାଇଁ ପ୍ରାୟ ଅଧା କଟି ଗଲାଣି । ଚିକିତ୍ସା ଅଭାବରୁ ସେଥିରେ ପୋକ ସାଲୁବାଲୁ ଓ ଗନ୍ଧ ମଧ୍ୟ ହେଉଛି । ଅଜଣା ବୃଦ୍ଧ ଜଣକଙ୍କର ପରିଚୟ ମିଳିପାରିନଥିବା ବେଳେ ସେ ମାସସିକ ଭାରସାମ୍ୟ ହରାଇଥିବା ଅନୁମାନ କରାଯାଉଥିଲା । ଏହି ପରିପ୍ରେକ୍ଷୀରେ ଗତ ବୁଧବାର ସଜନାଗଡ଼ ବଜାରରେ ସ୍ଥାନୀୟ ସରପଞ୍ଚ ଶ୍ରୀ ଖାଲପାଳିଆ ତାଙ୍କୁ କିଛି ଖାଦ୍ୟ ଦେବା ସହ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଡକାଇ କିଛି ବନ୍ଧୁଙ୍କ ସହାୟତାରେ ନୀଳଗିରି ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତରଙ୍କ ସହ ଆଲୋଚନା କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଗୁରୁବାର ଏହି ଖବର ପାଇ ମହାବୀର ଫାଉଣ୍ଡେସନର ମୁଖ୍ୟ ବିଦ୍ୟାଧର ବାରିକ ଓ ତାଙ୍କ ସହଯୋଗୀ ତୁରନ୍ତ ଅସହାୟ ବୃଦ୍ଧଙ୍କ ପାଖରେ ପହଞ୍ôଚ ତାଙ୍କୁ ସ୍ୱଛ କରି ଗାଧୋଇବା ସହ ଖିଅର କରି ନୂଆ ବସ୍ତ୍ର ପିନ୍ଧାଇ ଥିଲେ । ଏଥିସହ ବୃଦ୍ଧ ଜଣକ କେମିତି ଶୀଘ୍ର ଭଲ ହେବେ ସେନେଇ ଡାକ୍ତରଙ୍କ ସହ ପରାମର୍ଶ ମଧ୍ୟ କରିଥିଲେ ।
