ବାଲେଶ୍ୱର ଜିଲାସ୍ତରୀୟ ଆଧାର ମନିଟରିଙ୍ଗ କମିଟି ବୈଠକ; ୧୦ ବର୍ଷରୁ ଉର୍ଦ୍ଧ୍ୱ ଅବଧିର ଆଧାର କାର୍ଡ଼ ଅପଡେଟ୍ କରିବା ବିଧେୟ
ବାଲେଶ୍ୱର : ବାଲେଶ୍ୱର ମହାତ୍ମା ଗାନ୍ଧୀ ସଭା ଗୃହରେ ଓଡ଼ିଶା ସରକାରଙ୍କର ବୈଷୟିକ ଓ ସୂଚନା ପ୍ରଯୁକ୍ତି ବିଭାଗ ନିର୍ଦ୍ଦେଶରେ ଗଠିତ ବାଲେଶ୍ୱର ଜିଲାର ଜିଲାସ୍ତରୀୟ ଆଧାର ମନିଟରିଙ୍ଗ କମିଟିର ପ୍ରଥମ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି । ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତା କରିଥିଲେ ।
ଆଜିକା ଦିନରେ ଆଧାର ଅପଡେଟ କରିବା ନିତାନ୍ତ ଜରୁରୀ ହୋଇପଡ଼ିଛି । ଅପଡେଟ ହୋଇଥିବା ଆଧାରର ଲିଙ୍କ୍ ସହଯୋଗରେ ଜନସାଧାରଣ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବା, ସିମ୍ କାର୍ଡ ପାଇବା, ବିଭିନ୍ନ ସ୍କଲାରସିପ, ଋଣ ଆବେଦନ, ଆୟକର ରିଟର୍ଣ ର ଇ-ଯାଞ୍ଚ, ସହସ୍ରାଧିକ ସରକାରୀ ଯୋଜନା ମାଧ୍ୟମରେ ଲାଭ ଉପଭୋଗ ଆଦି ଅନେକ ସୁବିଧା ପାଇପାରୁଛନ୍ତି । ଆଗାମୀ ଦିନରେ ସେବାରେ ସ୍ୱଚ୍ଛତା ଓ ସହଜତା ଆଣିବା ପାଇଁ ଅନେକ କାର୍ଯ୍ୟ ସହ ଆଧାର ଲିଙ୍କ୍ କରାଯିବ । ଆଧାର କାର୍ଡର ବୈଧତା ବଜାୟ ରଖିବା ପାଇଁ ୧୦ ବର୍ଷରୁ ଉର୍ଦ୍ଧ୍ୱ ଅବଧିର ଆଧାର କାର୍ଡ ଅପଡେଟ୍ କରିବା ବିଧେୟ । ନଚେତ୍ ଅପଡେଟ୍ ହୋଇନଥିବା ଆଧାର କାର୍ଡ଼ ଅକାମୀ ହୋଇଯିବ ଏବଂ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବେ । ବୈଠକରେ ଆଧାର ଅପଡେଟ୍ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ବ୍ଲକ କାର୍ଯ୍ୟାଳୟ, ଡାକ ଘର, ଜନ ସେବା କେନ୍ଦ୍ର ଆଦି ସ୍ଥାନରେ ଚାଲୁଥିବା ସବୁଦିନିଆ କେନ୍ଦ୍ର ବ୍ୟତିରେକେ ଗ୍ରାମ ପଞ୍ଚାୟତସ୍ତରରେ ସ୍ୱତନ୍ତ୍ର ଶିବିରମାନ ଆୟୋଜନ କରି ଆଧାର ଅପଡେଟ୍ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ ତଥା ବ୍ୟାପକ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଜିଲାରେ ବ୍ୟାଙ୍କ ଆଦି ବିଭିନ୍ନ ଏଜେନ୍ସି ମାଧ୍ୟମରେ ୨୫୭ଟି କିଟ୍ ଦ୍ୱାରା ଆଧାର ସଂଯୋଗୀକରଣ କରାଯାଉଛି । କାର୍ଯ୍ୟକ୍ରମରେ ମିଶନଶକ୍ତି ଅଧୀନସ୍ଥ ସ୍ୱୟଂ ସହାୟିକା ଗୋଷ୍ଠୀର ସାହାଯ୍ୟରେ ପଞ୍ଚାୟତସ୍ତରରେ ଆଗୁଆ ସୂଚନା ପୂର୍ବକ ଶିବିର ମାନ ଆୟୋଜନ କରି ଅପଡେଟ କାର୍ଯ୍ୟକ୍ରମକୁ ବହୁଳ ଭାବେ ସମ୍ପୂର୍ଣ୍ଣ କରିହେବ ବୋଲି କହିଥିଲେ । ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ରଙ୍କୁ ଶିବିର ଆୟୋଜନ ପାଇଁ ନିର୍ଦ୍ଧାରିତ ସୂଚୀ ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଜିଲା ଡାକ ବିଭାଗରୁ ଆସିଥିବା ସହକାରୀ ଅଧୀକ୍ଷକ ଶିବ ପ୍ରସାଦ ବେହେରା ତଥ୍ୟ ଉପସ୍ଥାପନ କରିଥିବାବେଳେ ଜିଲା ଇ- ଗଭର୍ଣାନ୍ସ ମ୍ୟାନେଜର ଫାଲଗୁନୀ ଦତ୍ତ ସହଯୋଗ କରିଥିଲେ । ମୋ ସେବା କେନ୍ଦ୍ରର ଜିଲା ସଂଯୋଜକ ଏମ୍ ଡି ନଜମୁଲ, ଜିଲା ଶିକ୍ଷା ଅଧିକାରୀ ବିଷ୍ଣୁ ଚରଣ ସୁତାର, ଲିଡ ବ୍ୟାଙ୍କ୍ ପ୍ରତିନିଧି, ଆଧାର କର୍ତ୍ତୃପକ୍ଷରୁ ଆସିଥିବା ସୌମ୍ୟ ରଞ୍ଜନ ସିଂହ ପ୍ରମୁଖ ସଭ୍ୟ ମାନେ ଆଲୋଚନାରେ ଅଂଶଗ୍ରହଣ କରି ଆଧାର ଅପଡେଟ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ବନ୍ଦୋବସ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଆଧାର ସଂଯୋଗ ଓ ଅପଡେଟ୍ ଜନସାଧାରଣ ଯେପରି ସୁବିଧାରେ ତଥା ବିନା ଶୋଷଣରେ କରିପାରିବେ ସେଥିନିମନ୍ତେ ଗଠିତ କମିଟି ଜିଲା ଆରକ୍ଷୀ ଅଧିକ୍ଷକ, ଲିଡ୍ ବ୍ୟାଙ୍କ୍ ପ୍ରବନ୍ଧକ, ମୋ ସେବା କେନ୍ଦ୍ରର ଜିଲା ସଂଯୋଜକ, ଜିଲା ଶିକ୍ଷା ଅଧିକାରୀ, ଜିଲା ସମାଜ ମଙ୍ଗଳ ଅଧିକାରୀ, ଜିଲା ଇ- ଗଭର୍ଣାନସ ମ୍ୟାନେଜର, ଡାକ ବିଭାଗ ଜିଲା ମୁଖ୍ୟ ତଥା ଆଧାର ବିଭାଗ ପ୍ରତିନିଧି ପ୍ରମୁଖ ତଦାରଖ କରିବେ ।
