ଜଳବାୟୁ ପରିବର୍ତନକୁ ରୋକାନଗଲେ ପୃଥିବୀ ଧ୍ୱଂସ ପାଇବ : ବିଶ୍ୱଭୂଷଣ
ଭୁବନେଶ୍ୱର : ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନର ‘ଜଳବାୟୁ ପରିବର୍ତନ ଓ ମାନବ ଅଧିକାର’ ଶୀର୍ଷକ ଏକ ଜାତୀୟ କର୍ମଶାଳାରେ ଯୋଗଦେଇ ଗୁରୁବାର ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏ କଥା କହିଥିଲେ । ମିିଳିିତ ଜାତିସଂଘର ବାରମ୍ବାର ତାଗିଦ ସତ୍ୱେ ବିକଶିତ ରାଷ୍ଟ୍ରଗୁଡ଼ିକ ଅଙ୍ଗାରକାମ୍ଲ ନିର୍ଗମନକୁ କମାଉ ନାହାଁନ୍ତି । ଯାହା ଫଳରେ ଦୁର୍ଭିକ୍ଷ, ମହାମାରୀ, ଝଡ଼ବାତ୍ୟା ଆଦି ସମସ୍ୟା ଉଦ୍ବେଗଜନକ ସ୍ଥିତିରେ ପହଂଚିଛି । ଏହି ପରିପ୍ରେକ୍ଷୀରେ ଜି-୨୦ର ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତର ଆହ୍ୱାନ ଦେଇଛନ୍ତି ।ସଭାରେ ସଭାପତିତ୍ୱ କରି ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡଃ ଅଭିନ୍ନ ହୋତା ଏକ ସୁସ୍ଥ ପରିବେଶ ପାଇଁ ଜୀବନଶୈଳୀ ପରିବର୍ତନ ଉପରେ ଆଲୋକପାତ କରିଥିଲେ । ହଳଦିଆ ଏନର୍ଜି ଉପାଧ୍ୟକ୍ଷ ସୋମନାଥ ଦତ, ସ୍ୱଚ୍ଛଶକ୍ତି ଓ ସବୁଜ ଶକ୍ତି ଉପରେ କହିଥିଲେ । ଏସ୍ଏନ୍ଏମ୍ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଡଃ ପ୍ରବୋଧ ମହାନ୍ତି ପ୍ରଦୂଷଣ ରୋକିବ ପାଇଁ ଟେକ୍ନୋଲୋଜିର ଉପଯୋଗ ଉପରେ ଜୋର ଦେଇଥିଲେ । ହାଇଦ୍ରାବାଦର ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡଃ ସଞ୍ଜୀବ ବେହେରାଙ୍କୁ ‘ଆଜାଦି କା ଅମୃତ ମହୋତ୍ସବ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଡଃ ମନୀଷା ଦାସ, ଡଃ ମଙ୍ଗଳା ପ୍ରସାଦ ମହାନ୍ତି, ଡଃ ପ୍ରଫୁଲ ଧଳଙ୍କୁ ସମ୍ମାନସୂଚକ ଡ଼କ୍ଟରେଟ, ଡଃ ଅନୁ ଭାଲ୍ଲା, ସସ୍ମିତା ମଲ୍ଲିକ, ଲୀନୁ ମିଶ୍ରଙ୍କୁ ‘ମଦର ଟେରେସା ମାନବବାଦୀ’ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ସଭାରେ ଡଃ ବିପିନ ମିଶ୍ର, ମାନସ ଦାସ, ରଶ୍ମିକାନ୍ତ ସ୍ୱାଇଁ, ସରୋଜ ସିଂହ, ଡଃ ଆଲୋକ ଜେନା, ରାମଚନ୍ଦ୍ର ରାଉତରାୟ, ତାପସ ଦାସ, ଦିଲ୍ଲୀପ ବିଶ୍ୱାଳ, ମମତା ଦାସ, ପଙ୍କଜ ଭାଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ । ୨୦୨୩ରେ ପୃଥିବୀ ଦିବସ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହେଲା ।
