ଶ୍ରୀମନ୍ଦିର ପରିଚାଳାନା କମିଟି ବୈଠକରେ ନିଷ୍ପତି ନୂଆବର୍ଷରୁ ଶ୍ରୀମନ୍ଦିରକୁ ମୋବାଇଲ ମନା
ପୁରୀ : ଶ୍ରୀମନ୍ଦିର ପରିଚାଳାନା କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏହି ବୈଠକରେ ଶ୍ରୀମନ୍ଦିରର ଆୟ ବୃଦ୍ଧି, ଗୁରୁକୂଳମ୍ ଆଶ୍ରମ,ସେବାୟତ କଲ୍ୟାଣ, ବନପ୍ରକଳ୍ପ, ପ୍ରମୋଦଉଦ୍ୟାନ ଓ ଶ୍ରୀଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ସମ୍ପର୍କରେ ଆଲୋଚନା ହୋଇଥିଲା । ଆସନ୍ତା ନୂଆବର୍ଷ ଠାରୁ ଶ୍ରୀମନ୍ଦିରକୁ କୌଣସି ଭକ୍ତ ମୋବାଇଲ ଫୋନ ନେଇ ପାରିବେନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେବାୟତ ଓ ବିଦ୍ୟାର୍ଥୀମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଗୁରୁକୂଳମ୍ ନିର୍ମାଣ କରାଯାଇ କିପରି ଶୀଘ୍ର ଶିକ୍ଷାଦାନା କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ୪ହଜାର ହେକ୍ଟର ଜମିରେ ଶ୍ରୀଜଗନ୍ନାଥ ବନପ୍ରକଳ୍ପରେ ବୃକ୍ଷରୋପଣ ହୋଇଛି ବୋଲି ଆଲେଚନା ହୋଇଥିଲା । ମହାପ୍ରଭୁଙ୍କ ୧୬ଶହ ଏକର ଜଙ୍ଗଲ କିସ୍ମ ଜମିରେ ରଥକାଠ ପାଇଁ ଗଛ ଲଗାଯିବ । ଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ଲାନ ପ୍ରସ୍ତୁତ ହୋଇଛି । ଏଥିପାଇଁ ଟେଣ୍ଡର କରାଯିବ । ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ବିମ୍ ଏପ୍ରିଲ ମାସ ପୂର୍ବରୁ ମରାମତି କରାଯିବ । ଖୋର୍ଦ୍ଧା ଅଞ୍ଛଳରେ ଥିବା ମହାପ୍ରଭୁଙ୍କ ଖଣି ଖାଦନ ଉପରେ ଏନ୍ଜିଟି ନିର୍ଦ୍ଦେଶ ପରେ ଅପିଲରେ ଯିବ ଶ୍ରୀମନ୍ଦିର ପରିଚାଳନା କମିଟି । ଶ୍ରୀମନ୍ଦିର ସେବାୟତମାନେ ସିଂହଦ୍ୱାର ଓ ଦକ୍ଷିଣଦ୍ୱାରରେ ମୋବାଇଲ ଫୋନ ଜିମା ଦେଇ ମନ୍ଦିରକୁ ପ୍ରବେଶ କରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଗତ ତିନୋଟି ପରିଚାଳନା ବୈଠକରେ ରତ୍ନଭଣ୍ଡାର ଖୋଲିବା,ଭିତର ରତ୍ନଭଣ୍ଡାର ସ୍ଥିତି,ରତ୍ନଭଣ୍ଡାରରୁ ପାଣି ଗଳିବା ସମ୍ପର୍କରେ କୌଣସି ଆଲୋଚନା ନହେବାରୁ ଏହା ଭକ୍ତମାନଙ୍କ ମଧ୍ୟରେ ରହସ୍ୟମୟ ଚର୍ଚ୍ଚା ହୋଇଥିବା ଶୁଣିବାକୁ ମିଳୁଛି ।
