ଆଉଟ୍ ହେବା ପରେ ରାଗରେ ବ୍ୟାଟ୍କୁ ମୁଥ ମାରିଲେ ରାହୁଲ
ନୂଆଦିଲ୍ଲୀ: ଆଜି ବାଂଲାଦେଶର ଚଟ୍ଟଗ୍ରାମସ୍ଥିତ ‘ଜହୁର୍ ଅହମଦ୍ ଚୌଧୁରୀ ଷ୍ଟାଡିୟମ୍’ରେ ଆରମ୍ଭ ହୋଇଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ସମୟରେ ଖାଲେଦ୍ଙ୍କ ବଲ୍ ଖେଳିବାକୁ ଯାଇ ଆଉଟ୍ ହୋଇଥିବା କେ. ଏଲ୍. ରାହୁଲ୍ ରାଗରେ ନିଜ ବ୍ୟାଟ୍କୁ ମୁଥ ମାରିଛନ୍ତି।
ଟସ୍ରେ ଜିଣି ଭାରତୀୟ ଟିମ୍ର ଅଧିନାୟକ କେ. ଏଲ୍. ରାହୁଲ୍ ପ୍ରଥମେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ଓପେନର୍ ଭାବେ ଖେଳିବାକୁ ଯାଇ ରାହୁଲ୍ ଓ ଶୁବମନ୍ ଗିଲ୍ ୪୧ ରନ୍ କରି ଖେଳୁଥିବା ବେଳେ ବାଂଲାଦେଶ ବୋଲର୍ ତୈଜୁଲ୍ ଇସ୍ଲାମ୍ଙ୍କ ବଲ୍ରେ ପ୍ରଥମେ ଶୁବମନ୍ ଆଉଟ୍ ହୋଇଯାଇଥିଲେ। ସେତେବେଳେ ଶୁବମନ୍ ୪୦ଟି ବଲ୍ରେ ୩ଟି ଚୌକା ସହିତ ସମୁଦାୟ ୨୦ ରନ୍ କରିଥିଲେ। ଏହାର ଠିକ୍ ପରେ ପରେ ବାଂଲାଦେଶୀ ବୋଲର୍ଙ୍କ ଗୋଟାଏ ଅଫ୍-ଷ୍ଟମ୍ପ୍ ବଲ୍କୁ ଅଫ୍ ସାଇଡ୍ ଖେଳିବାକୁ ଚେଷ୍ଟା କରିଥିଲେ। ମାତ୍ର ବଲ୍ ବ୍ୟାଟ୍ର ଭିତର ପାଖ ଧାରରେ ବାଜି ଷ୍ଟମ୍ପ୍ ଉପରେ ଧକ୍କା ଖାଇଥିଲା। ମାତ୍ର ୨୨ ରନ୍ କରି ଏଭଳି ଭାବେ ଆଉଟ୍ ହେବାରୁ ରାଗରେ ରାହୁଲ୍ ହାତରେ ଗ୍ଲୋଭ୍ସ୍ ପିନ୍ଧିଥିବା ଅବସ୍ଥାରେ ନିଜ ବ୍ୟାଟ୍କୁ ମୁଥ ମାରିଥିଲେ।
