ପଶ୍ଚିମାଞ୍ଚଳ ବାସୀଙ୍କୁ ମୂର୍ଖ ଭାବିବା ବନ୍ଦ କରୁ ବିଜେଡି – ବିଜେପି
ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଚାଲିଛି ଆନ୍ଦୋଳନ । ମାତ୍ର ଗତକାଲିର ଘଟଣାକୁ ନେଇ ବିଜେଡି ଦେଇଥିବା ପ୍ରତିକ୍ରିୟା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ପ୍ରସଙ୍ଗରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଚିନ୍ତାଜନକ ବୋଲି ସମ୍ବଲପୁର ବିଜେପି ପ୍ରତିକ୍ରିୟା ରଖିଛି । ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ, ରେଙ୍ଗାଲି ବିଧାୟକ ନାଉରି ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାୟକ, ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ମେହେର, ଦଳର କ୍ଷେତ୍ରିୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା, ଯୁବ ମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ଓ କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ ପ୍ରମୁଖ ଏକ ମିଳିତ ପ୍ରେସ ବିବୃତିରେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବା ସହିତ କହିଛନ୍ତି ବିଜେଡି ଜାଣି ରଖିବା ଉଚିତ ଯେ କେନ୍ଦ୍ର ସରକାର ଏ ସମ୍ପର୍କରେ ବାରମ୍ବାର ପତ୍ର ଲେଖି ରାଜ୍ୟ ସରକାରଙ୍କୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ମାଗିଥିଲେ ମଧ୍ୟ ରାଜ୍ୟ ସରକାର ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଛନ୍ତି ଯାହାକି ଦାଣ୍ଡରେ ପଡି ହାଟରେ ଗଢ଼ିବା ସଦୃଶ୍ୟ । ଚଳିତ ବର୍ଷ ଏପ୍ରିଲ ୨୦ ତାରିଖରେ କେନ୍ଦ୍ର ବିଧି ଓ ନ୍ୟାୟ ମନ୍ତ୍ରୀ କିରଣ ରିଯିଜୁ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ମାଗିଥିଲେ । ଏହାକୁ ଆଧାର କରି ପରେ ଗତ ମଇ ମାସ ୨୮ ତାରିଖରେ ସି.ଏ.ସି ବୈଠକର ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବା ନିମନ୍ତେ ଜୁନ ୩୦ ଯାଏଁ ରାଜ୍ୟ ସରକାରଙ୍କୁ ମହଲତ ଦିଆଯାଇଥିଲା । ପରବର୍ତ୍ତି ସମୟରେ ଜୁଲାଇ ୮ ତାରିଖରେ ଚେତାବନୀ ଦିବସ ପାଳନ କରି ପଶ୍ଚିମ ଓଡିଶା ଓକିଲ ସମୂହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ପୁଣି ସେପ୍େଟମ୍ବର ୨୮ ତାରିଖରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପେଷାଦାର ଆଇନଜୀବୀ ମାନେ ଭୁବନେଶ୍ୱରରେ ଏହି ଦାବି ପୂରଣ ପାଇଁ ଆନ୍ଦୋଳନ ବି କରିଥିଲେ । ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଆଇନଜୀବୀଙ୍କ ଚାଲିଆସୁଥିବା ଏହି ଆନ୍ଦୋଳନ ଏବେ ଜନଆନ୍ଦୋଳନରେ ପରିଣତ ହୋଇ ସାରିଛି । ପ୍ରାୟ ଦୁଇ କୋଟି ଲୋକଙ୍କର ଭାବାବେଗ ସହିତ ଜଡିତ ଏହି ଜନ ଆନ୍ଦୋଳନ ସହିତ ରାଜ୍ୟ ସରକାରଙ୍କ ପକ୍ଷପାତିତା ଓ ଷଡଯନ୍ତ୍ର ଲୋକଙ୍କୁ ଖୋଲାଖୋଲି ଧୋଖା ଦେବା ସହ ସମାନ ହୋଇଛି । ରାଜ୍ୟ ସରକାର ଯଦି ଠିକ ସମୟରେ ପୂର୍ଣାଙ୍ଗ ପ୍ରସ୍ତାବ ଆଗତ କରିଦେଇଥାନ୍ତେ ତାହେଲେ ଗତକାଲିର ଘଟଣା ଘଟିବାର କୌଣସି ସମ୍ଭାବନା ନଥିଲା । ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଠୋସ ପଦକ୍ଷେପ ଗ୍ରହଣ କରି କେନ୍ଦ୍ରକୁ ପୂର୍ଣାଙ୍ଗ ପ୍ରସ୍ତାବ ନଦେବା ଓ ରାଜନୈତିକ ଅଭିସନ୍ଧି ରଖି ସର୍ବଦା କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ପଶ୍ଚିମ ଓଡିଶାବାସୀଙ୍କୁ କଟା ଘାରେ ଚୂନ ବୋଳିବା ସଦୃଶ ହୋଇଛି ବୋଲି ବିଜେପି ନେତୃବୃନ୍ଦ ଆରୋପ କରିଛନ୍ତି ।
