ସଂଘର୍ଷ ପରେ ଭାରତ-ଚୀନ୍ ନିଜ ନିଜ ସ୍ଥାନକୁ ଫେରିଛନ୍ତି : ଆମେରିକା
ୱାଶିଂଟନ୍: ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରରେ ଭାରତୀୟ ଏବଂ ଚୀନ୍ ସେନା ମଧ୍ୟରେ ବିବାଦ ଉପରେ ଆମେରିକାର ପ୍ରତିକ୍ରିୟା ଆସିଛି। ହ୍ବାଇଟ୍ ହାଉସ୍ କହିଛି ଯେ ସଂଘର୍ଷ ପରେ ଉଭୟ ଭାରତ ଏବଂ ଚୀନ୍ ତୁରନ୍ତ ନିଜ ନିଜ ସ୍ଥାନକୁ ଫେରିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ହ୍ବାଇଟ୍ ହାଉସର ପ୍ରେସ ସଚିବ କରାଇନ୍ ଜାନ-ପିଆର୍ କହିଛନ୍ତି ଯେ ଆମେରିକା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । ସୀମା ବିବାଦ ଉପରେ ଉଭୟ ପକ୍ଷ ପ୍ରଚଳିତ ଦ୍ୱିପାକ୍ଷିକ ଚ୍ୟାନେଲ୍ ବ୍ୟବହାର କରିବା ଉଚିତ।
ସେ କହିଛନ୍ତି, “ସଂଘର୍ଷ ପରେ ଉଭୟ ପକ୍ଷ ତତକ୍ଷଣାତ୍ ପଛକୁ ଫେରିଥିବାରୁ ଆମେ ଖୁସି। ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ ଏବଂ ସୀମା ବିବାଦ ଉପରେ ଆଲୋଚନା ପାଇଁ ଭାରତ ଏବଂ ଚୀନ୍ କୁ ଦ୍ୱିପାକ୍ଷିକ ଚ୍ୟାନେଲ ବ୍ୟବହାର କରିବାକୁ ଉତ୍ସାହିତ କରୁଛୁ।”
ଶୁକ୍ରବାର ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଉଭୟ ପକ୍ଷର ସୈନିକ ସାମାନ୍ୟ ଆହତ ହୋଇଥିଲେ । ଭାରତୀୟ ସୈନିକମାନେ ଚୀନ୍ ସୈନିକମାନଙ୍କ ଦୁଃସାହସର ଉଚିତ ଜବାବ ଦେଇଥିଲେ । ଏହି ସଂଘର୍ଷରେ ଆହତ ଚୀନ୍ ସୈନିକଙ୍କ ସଂଖ୍ୟା ଭାରତୀୟ ସୈନିକଙ୍କ ସଂଖ୍ୟାଠାରୁ ଅଧିକ ବୋଲି କୁହାଯାଇଛି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଘଟଣା ଉପରେ ମଙ୍ଗଳବାର ସଂସଦରେ ବିବୃତି ରଖିଛନ୍ତି । ସେ କହିଛନ୍ତି ଯେ ଅରୁଣାଚଳର ତାୱାଙ୍ଗ ସେକ୍ଟରର ୟାଙ୍ଗସେ ସେକ୍ଟରରେ ଭାରତୀୟ ସେନା କର୍ମଚାରୀମାନେ ସାହସିକତାର ସହିତ ଚୀନ୍ ସେନାକୁ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ଉଲ୍ଲଂଘନ କରିବାରୁ ରୋକିଥିଲେ ।
