ଫିଫା ବିଶ୍ଵକପ: ଆଜି ଦ୍ବିତୀୟ ସେମିରେ ଫ୍ରାନ୍ସ-ମରକ୍କୋ ମୁକାବିଲା
ଦୋହା : ଅନ୍ତିମ ପର୍ଯ୍ୟାୟରେ ଫିଫା ବିଶ୍ୱକପ୍ ୨୦୨୨ । ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ସେମିଫାଇନ୍ଲରେ ୩-୦ ଗୋଲ୍ ରେ କ୍ରୋଏସିଆକୁ ପରାସ୍ତ କରିଛି ଆର୍ଜେଣ୍ଟିନା । ଏହି ବିଜୟ ସହ ଆର୍ଜେଣ୍ଟିନା ଷଷ୍ଠ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଅନ୍ୟପଟେ ଆଜି ଦ୍ବିତୀୟ ସେମିରେ ଫ୍ରାନ୍ସ -ମରକ୍କୋ ମଧ୍ୟରେ ମୁକାବିଲା ହେବ । ପୂର୍ବତନ ବିଜେତା ଫ୍ରାନ୍ସ ଓ ଚଳିତ ବର୍ଷର ବଡ଼ ବିପର୍ଯ୍ୟୟକାରୀ ମରକ୍କୋ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ୍ ଖେଳାଯିବ। ଆର୍ଜେଣ୍ଟିନା ଶେଷ ଥର ପାଇଁ ୨୦୧୪ରେ ଫାଇନାଲକୁ ଯାଇଥିଲା, କିନ୍ତୁ ଦଳ ଉପବିଜେତା ହୋଇଥିଲା। ସେହିଭଲି କ୍ରୋଏସିଆ ଗତ ଥରର ରନର୍ସ ଅପ୍ ରହିଥିଲା ।
ଅଲ୍ ବାୟତ୍ ଷ୍ଟାଡିୟମ୍ରେ ପୂର୍ବତନ ବିଜେତା ଫ୍ରାନ୍ସ ଓ ବିପର୍ଯ୍ୟୟ ସୃଷ୍ଟିକାରୀ ମରକ୍କୋ ମଧ୍ୟରେ ଫିଫା ବିଶ୍ବକପ୍ର ଦ୍ବିତୀୟ ସେମିଫାଇନାଲ୍ ଖେଳାଯିବ। ବୁଧବାର ରାତି ସାଢେ ୧୨ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ପର୍ତୁଗାଲ୍କୁ ହରାଇ ମରକ୍କୋ ପ୍ରଥମ ଆଫ୍ରିକୀୟ ଦଳ ଭାବେ ସେମିଫାଇନାଲ୍ରେ ପ୍ରବେଶ କରିଥିଲା ବେଳେ ଏହି ଦଳ ବିପକ୍ଷରେ କେହି ବି ଏପର୍ଯ୍ୟନ୍ତ ଗୋଟିଏ ହେଲେ ଗୋଲ୍ ଦେଇପାରିନାହାନ୍ତି। ଗ୍ରୁପ୍ ପର୍ଯ୍ୟାୟରେ କ୍ରୋଏସିଆ (୦-୦) ସହିତ ଅମୀମାଂସିତ ରଖିବା ପରେ ବେଲଜିୟମ୍ (୨-୦), କାନାଡ଼ା (୨-୧) କୁ ହରାଇ ଗ୍ରୁପ୍ ବିଜେତା ଭାବେ ମରକ୍କୋ ପ୍ରିକ୍ବାର୍ଟରରେ ପ୍ରବେଶ କରିଥିଲା। କାନାଡ଼ା ସହିତ ଆତ୍ମଘାତୀ ଗୋଲ୍ ବଳରେ ମରକ୍କୋ ମାତ୍ର ଗୋଟିଏ ଗୋଲ୍ ବରଣ କରିଛି। ପ୍ରିକ୍ବାର୍ଟରରେ ସ୍ପେନ୍ (୩-୦ ପେନାଲ୍ଟି)କୁ ପରାସ୍ତ କରି ମରକ୍କୋ ପ୍ରଥମ ବିପର୍ଯ୍ୟୟ ଘଟାଇଥିଲା। ତେଣୁ ସେମିଫାଇନାଲ୍ରେ ପ୍ରଥମ ଆବିର୍ଭାବ ହୋଇଥିଲେ ସୁଦ୍ଧା ଫ୍ରାନ୍ସ ଏହି ଦଳକୁ ସହଜ ଭାବେ ଗ୍ରହଣ କରିବନି। ଅନ୍ୟପକ୍ଷରେ ଫ୍ରାନ୍ସ ଗ୍ରୁପ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ (୪-୧) ଏବଂ ଡେନମାର୍କ (୨-୧)କୁ ହରାଇଥିଲା ବେଳେ ଟ୍ୟୁନିସିଆଠୁ ୦-୧ ଗୋଲ୍ରେ ପରାସ୍ତ ସତ୍ତ୍ବେ ରାଉଣ୍ଡ-୧୬କୁ ଉଠିଥିଲା। ଏହି ପର୍ଯ୍ୟାୟରେ ପୋଲାଣ୍ଡକୁ ୩-୧ ଗୋଲ୍ରେ ହରାଇ ଦଳ କ୍ବାର୍ଟରଫାଇନାଲ୍ ଯାଇଥିଲା ବେଳେ ଇଂଲଣ୍ଡକୁ ୨-୧ ଗୋଲ୍ରେ ପରାସ୍ତ କରି ପୁଣି ଥରେ ୨୦୧୮ ସଂସ୍କରଣର ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ରହିଛି ଫ୍ରାନ୍ସ।
ପୂର୍ବରୁ ଏହି ଦୁଇ ଦଳଙ୍କ ମଧ୍ୟରେ ୫ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯାଇଛି। ସେଥିରୁ ଫ୍ରାନ୍ସ ୩ ଓ ମରକ୍କୋ ୧ ମ୍ୟାଚ୍ରେ ବିଜୟୀ ହୋଇଥିଲେ। ୧୯୮୮ରେ ହୋଇଥିବା ପ୍ରଥମ ମୁକାବିଲାରେ ଫ୍ରାନ୍ସ ୨-୧ ଗୋଲ୍ରେ ବିଜୟୀ ହୋଇଥିଲା ବେଳେ ୧୦ ବର୍ଷ ପରେ ଅମୀମାଂସିତ (୨-୨) ମ୍ୟାଚ୍ରୁ ସୁଟ୍ଆଉଟ୍ରେ ମରକ୍କୋ ବିଜୟୀ ହୋଇଥିଲା। ପରବର୍ତ୍ତୀ ଦୁଇ ମ୍ୟାଚ୍ରେ ଫ୍ରାନ୍ସ ଯଥାକ୍ରମେ ୧-୦ ଓ ୫-୧ ଗୋଲ୍ରେ ବିଜୟୀ ହୋଇଥିଲା। ୨୦୦୭ରେ ହୋଇଥିବା ଶେଷ ମୁହାଁମୁହିଁରେ ମ୍ୟାଚ୍ ୨-୨ ଗୋଲ୍ରେ ଅମୀମାଂସିତ ରହିଥିଲା।
ଲଗାତାର ବିଶ୍ବକପ୍ ଟ୍ରଫି ହାତେଇବା ପାଇଁ ଫ୍ରାନ୍ସକୁ ମରକ୍କୋ ବାଧା ପାର୍ କରିବାରେ କିଛିଟା କଷ୍ଟର ସାମ୍ନା କରିବାକୁ ପଡ଼ିପାରେ। କାରଣ ସଂପୂର୍ଣ୍ଣ ପ୍ରତିଯୋଗିତାରେ ମରକ୍କୋ ତାହାର ରକ୍ଷଣଭାଗ ପାଇଁ ଜଣାଶୁଣା। ଏମ୍ବାପେ ୫ ଗୋଲ୍ ସହ ଗୋଲ୍ଡେନ୍ ବୁଟ୍ ଦୌଡ଼ର ଆଗରେ ଥିବାରୁ ଏହି ମ୍ୟାଚ୍ରେ ଗୋଲ୍ ସଂଖ୍ୟା ବୃଦ୍ଧି କରିବାକୁ ଚାହିଁବେ। କିନ୍ତୁ କେବଳ ଏମ୍ବାପେଙ୍କୁ ନୁହେଁ, ଆଣ୍ଟୋନି ଗ୍ରିଜ୍ମାନ୍ ବି ଏବେ ତାଙ୍କ ଶ୍ରେଷ୍ଠ ସମୟ ଦେଇ ଗତି କରୁଛନ୍ତି। ଓସ୍ମାନେ ଡେମ୍ବେଲେ ମଧ୍ୟ ଗୋଟିଏ ପଟରୁ ପଡ଼ିଆକୁ ସମ୍ଭାଳୁଛନ୍ତି। ତେଣୁ ପ୍ରତ୍ୟେକ ଖେଳାଳିଙ୍କୁ ରୋକିବା ପାଇଁ ମରକ୍କୋ ରଣନୀତି ପ୍ରସ୍ତୁତ କରିଛି। ସେହିପରି ପ୍ୟାରିସ୍ ସେଣ୍ଟ ଜର୍ମେନ୍ର ସାଥି ଖେଳାଳି ଆଚ୍ରଫ ହାକିମିଙ୍କ ସହ ଏମ୍ବାପେଙ୍କ ନିବିଡ଼ତା ରହିଛି। ତେଣୁ ଏମାନେ ପରସ୍ପରର ଦୁର୍ବଳତା ଜାଣିଛନ୍ତି। ଏହା ମରକ୍କୋକୁ ଫାଇଦାରେ ରଖିବ ବୋଲି ଦଳ ଆଶା ରଖିଛି। କିନ୍ତୁ ଅନ୍ୟ ଦଳମାନଙ୍କ ପରି ମରକ୍କୋ ମଧ୍ୟ ଆହତ ସମସ୍ୟାରେ ଗତି କରୁଛି। ତଥାପି ଖେଳାଳିମାନେ ସୁସ୍ଥ ହେବା ଆରମ୍ଭ କଲେଣି। କିନ୍ତୁ ସେଣ୍ଟର ବ୍ୟାକ୍ ପାଇଁ ରୋମେନ୍ ସଇସ୍ ଓ ନୟେଫ୍ ଅଗୁଏର୍ଡଙ୍କୁ ନେଇ ଦଳ ଟିକେ ଚିନ୍ତାରେ ରହିଛି। ଯଦି ମେଡିକାଲ୍ ଟିମ୍ ଉଭୟଙ୍କୁ ସବୁଜ ସଙ୍କେତ ଦିଏ, ତାହେଲେ ଏମାନେ ପୁଣି ବଲ୍ ଗଡ଼ାଇବା ଆରମ୍ଭ କରିପାରିବେ ବୋଲି ପ୍ରଶିକ୍ଷକ ୱାଲିଦ୍ ରେଗ୍ରାଗୁଇ କହିଛନ୍ତି।
