ଯୁକ୍ତ୨ ମୁଲ୍ୟାୟନ ପାଇଁ ଗଠନ ହେବ ବିଶେଷଜ୍ଞ କମିଟି : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଯୁକ୍ତ୨ ପରୀକ୍ଷା ବାତିଲ ହୋଇଛି । ମାତ୍ର ଛାତ୍ରଛାତ୍ରୀମାନଙ୍କର ମୁଲ୍ୟାୟନ କିପରି ହେବ ସେ ନେଇ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଆସନ୍ତା ୧୫ ଦିନରେ ବିଶେଷଜ୍ଞ କମିଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଥିବା ବେଳେ ସିବିଏସଇ ପଲିସିକୁ ଅନୁଧ୍ୟାନ କରି କମିଟି ସଦସ୍ୟମାନେ ତର୍ଜମା କରିବେ। ଏହା ପରେ ନିଷ୍ପତ୍ତି ହେବ ଯେ କେଉଁ ଆଧାରରେ ମାର୍କ ଦିଆଯିବ ଓ ଫଳ ପ୍ରକାଶ କରାଯିବ । ରାଜ୍ୟର ଛାତ୍ରଛାତ୍ରୀ ଯେମିତି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେନେଇ ଗୁରୁତ୍ୱ ଦିଆଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।
କାଉନସିଲ୍ ଅଫ୍ ଉଚ୍ଚ ମାଧ୍ୟମିକ ଶିକ୍ଷା (ସିଏଚଏସଇ) ଦ୍ୱାରା ପ୍ରତିବର୍ଷ କରାଯାଇଥିବା ଯୁକ୍ତ୨ ପରୀକ୍ଷା କୋଭିଡ୍-୧୯ ମହାମାରୀ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାର ବାତିଲ କରିଥିଲେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯାହା ଯୁକ୍ତ୨ର ଫଳାଫଳର ମୂଲ୍ୟାଙ୍କନ ମାନଦଣ୍ଡ ସ୍ଥିର କରିବ। ସିବିଏସ୍ଇ ଏବଂ ଆଇସିଏସ୍ଇ ଫଳାଫଳ ଘୋଷଣା କରିବା ମାତ୍ରେ ରାଜ୍ୟ ସରକାର ଯୁକ୍ତ୨ ପରୀକ୍ଷା ଘୋଷଣା କରିବାକୁ ଚେଷ୍ଟା କରିବେ ଯାହାଦ୍ୱାରା ଆମ ଛାତ୍ରମାନେ ଦେଶର ବିଭିନ୍ନ କଲେଜ ଏବଂ ଶିକ୍ଷାନୁଷ୍ଠାନରେ ଆଡମିଶନ ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ଦାଶ କହିଛନ୍ତି।
