୪ର୍ଥ ରାଜ୍ୟସ୍ତରୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ବାଲେଶ୍ୱର ଚମ୍ପିୟାନ୍
ଖୋର୍ଦ୍ଧା : କେଟି ଗ୍ଲୋବାଲ ସ୍କୁଲ୍ ପଡ଼ିଆ ଠାରେ କାଭି ଓଡ଼ିଶା ଓ କେ ଟି ଗ୍ଲୋବାଲ ସ୍କୁଲ୍ ର ମିଳିତ ଆନୁକୂଲ୍ୟରେ ଏବଂ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ର ସହଯୋଗ ରେ ଆୟୋଜିତ ଦୁଇ ଦିନିଆଁ ୪ର୍ଥ ରାଜ୍ୟ ସ୍ତରୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ ହୋଇଯାଇଛି । ଆଜି ଏହି ଟୁର୍ଣ୍ଣାମେଣ୍ଟ୍ ରେ ୨ଟି ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା । ଆଜିର ପ୍ରଥମ ସେମି ଫାଇନାଲ ମ୍ୟାଚ୍ ରେ ବାଲେଶ୍ୱର ଟିମ୍, ଲୁଇସ୍ ବ୍ରେଲ୍ କୁ ହରାଇ ଏବଂ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ରେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ କ୍ରିକେଟ୍ ଟିମ୍, ଭଦ୍ରକ ଟିମ୍ କୁ ହରାଇ ଫାଇନାଲରେ ପ୍ରବେଶ କରିଥଲେ । ଏହି ଟୁର୍ଣ୍ଣାମେଣ୍ଟ୍ ର ଫାଇନାଲ ମ୍ୟାଚ୍ ବାଲେଶ୍ୱର ଏବଂ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ କ୍ରିକେଟ୍ ଟିମ୍ ମଧ୍ୟରେ ହୋଇଥିଲା । ଏହି ଫାଇନାଲ ମ୍ୟାଚ୍ ରେ ବାଲେଶ୍ୱର , ରମାଦେବୀ ବିଶ୍ୱ ବିଦ୍ୟାଳୟ କୁ ୧୧ ରନ୍ ରେ ପରାସ୍ତ କରି ଚାମ୍ପିୟାନ୍ ହୋଇଥିଲା ।
ବାଲେଶ୍ୱର ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଏବଂ ନିର୍ଦ୍ଧାରିତ ୧୦ ଓଭରରେ କୌଣସି ୱିକେଟ୍ ନ ହରାଇ ୭୦ ରନ୍ ସଂଗ୍ରହ କରିଥିଲା । ବାଲେଶ୍ୱର ପକ୍ଷରୁ ଫୁଲ ସରେନ୍ ୨୭ ବଲ୍ ୪୧ ରନ୍ ଏବଂ ପାର୍ବତୀ ମାର୍ଡି ୨୩ ରନ୍ ସଂଗ୍ରହ କରିଥିଲେ । ଜବାବରେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ କ୍ରିକେଟ୍ ଟିମ୍ ୧୦ ଓଭରରେ ୨ଟି ୱିକେଟ ହରାଇ ୫୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ରମାଦେବୀ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଯମୁନା ରାଣୀ ଟୁଡୁ ୨୩ ବଲ୍ରେ ୨୨ ରନ୍, ବାସନ୍ତି ହାଁସଦା ୧୨ ବଲ୍ରେ ୧୭ ରନ୍ ଏବଂ ପଟାନି ସିଂ ୮ ବଲ୍ରେ ୫ ରନ୍ ସଂଗ୍ରହ କରିଥିଲେ । ଏହି ମ୍ୟାଚ୍ ରେ ବାଲେଶ୍ୱରର ଫୁଲ ସରେନ୍ ମ୍ୟାନ୍ ଅଫ ଦି ମ୍ୟାଚ୍ ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବି୧ ବର୍ଗ ପାଇଁ ଜମୁନାରାଣୀ ଟୁଡୁ, ବି୨ ବର୍ଗର୍ ପାଇଁ ବାସନ୍ତୀ ହାଁସଦା ଏବଂ ବି୩ ବର୍ଗ ପାଇଁ ଫୁଲ ସରେନ୍ଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ କରାଯାଇଥିଲା ।
ଉଦ୍ଯାପନୀ ଉତ୍ସବରେ କେଟି ଗ୍ଲୋବାଲ ସ୍କୁଲ୍ର ଟ୍ରଷ୍ଟି ସୋମଦତ୍ତ ବେହୁରା, ଏମଓଏସଏଫ୍ର ସମ୍ପାଦକ ଚିନ୍ମୟ ପ୍ରଧାନ, କେଟି ଗ୍ଲୋବାଲ ସ୍କୁଲ୍ର ସମ୍ପାଦକ ପୂର୍ଣ୍ଣଶିଷ ରଥ, ଆଇଆଇଜି ସ୍ପୋର୍ଟସ୍ ଏକାଡ଼େମୀର ସମ୍ପାଦକ ପ୍ରଶାନ୍ତ ପୁହାଣ, ଖୋର୍ଦ୍ଧା ଜିଲା ଅନ୍ତଃନିବେସି ଶିକ୍ଷା ସଂଯୋଜିକା ପୁଷ୍ପମିତ୍ରା ମିଶ୍ର,ଏୱାଇଜେଏନ୍ଆଇଏସ୍ଏଚ୍ଡ଼ିର ସାଙ୍କେତିକ ଭାଷା ଅଧ୍ୟାପିକା ବିଶ୍ୱମିତ୍ରା ମିଶ୍ର, ସିଡ଼ବ୍ଲୁଡିଏସ୍ର ଅଧ୍ୟକ୍ଷା ଡ. ମେଜର କଳ୍ପନା ଦାସ, ଉତ୍କଳ ଦୃଷ୍ଟିହୀନ ସଂଘର ସଭାପତ ସନ୍ୟାସୀ କୁମାର ବେହେରା ଏବଂ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘର ସଭାପତି ତଥା ଆନ୍ତର୍ଜାତିକ କ୍ରିକେଟ୍ ତାରକା ମହମ୍ମଦ ଜାଫର ଇକବାଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।
