ଲଜ୍ରୁ ମୃତଦେହ ଜବତ, ପୋଲିସ ତଦନ୍ତ ଆରମ୍ଭ
ବାଲେଶ୍ୱର : ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ମୋତିଗଞ୍ଜ ବଜାରରେ ଥିବା ତାଜ ଲଜ୍ର ୧୦୩ନମ୍ବର ରୁମ୍ରୁ ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୧୮୬ ।୨୨) ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି । ମୃତ ଯୁବକ ହେଲେ ସୁଏଲପୁର ଅଞ୍ଚଳର ରାଜ କୁମାର ଶର୍ମା (୪୪) ।
ସୂଚନା ଯେ, ସୁଏଲପୁର ଅଞ୍ଚଳର ରାଜ କୁମାର ଶର୍ମା ତାଙ୍କ ପତ୍ନୀଙ୍କ ଦେହାନ୍ତ ପରେ ମାନସିକ ଅବସାଦ ମଧ୍ୟରେ ରହୁଥିଲେ । ସେ ନିଜର ଦୁଇଝିଅଙ୍କୁ ଶାଳକଙ୍କ ଘରେ ରଖି ଏକାକୀ ଜୀବନ ଅତିବାହିତ କରୁଥିଲେ । ଗତ କିଛି ମାସ ହେବ ସେ ତାଜ ଲଜ୍ର ୧୦୩ନମ୍ବର ରୁମ୍ରେ ରହିଆସୁଥିଲେ । ଗତ ଶୁକ୍ରବାର ଠାରୁ ସେ ଲଜ୍ରେ ରହିଥିଲେ । ଗତ ଶନିବାର ରୁମ୍ରୁ ନ ବାହାରିବାରୁ ହୋଟେଲର କର୍ମଚାରୀ ମାନେ ସନ୍ଦେହ କରି ଝରକା କାଚ ଭାଙ୍ଗି ସେ ଖଟ ଉପରେ ଶୋଇଥିବାର ଦେଖିଥିଲେ । ତାଙ୍କୁ ଯେତେ ଡାକିଲେ ବି ସେ କୌଣସି ଉତ୍ତର ନ ଦେବାରୁ ସନ୍ଦେହ ଉପୁଜିଥିଲା । ଘଟଣା ସମ୍ପର୍କରେ ଲଜ୍ ମାଲିକ ଟାଉନ ଥାନାରେ ଲିଖିତ ଜଣାଇଥିଲେ । ପୋଲିସ ରବିବାର ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ରୁମ୍ର କବାଟ ଭାଙ୍ଗି ମୃତ ଦେହ ଜବତ କରିଥିଲେ । ପରିବାର ଲୋକଙ୍କ ଉପସ୍ଥିତିରେ ପଞ୍ଚନାମା କରାଯାଇ ଶବ ବ୍ୟବଚ୍ଛେଦ ହୋଇଥିଲା । ରୁମ୍ ଭିତରୁ କିଛି ଖାଲି ବିଦେଶୀ ମଦ ବୋତଲ ଓ ଆଧାର କାର୍ଡ଼ ନକଲ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର କାରଣ ଏବେ ଅସ୍ପଷ୍ଟ ଥିଲେ ହେଁ ମଦ୍ୟପାନ ଯୋଗୁଁ ହୃଦ୍ଘାତ ହୋଇଥିବାର ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
