କ୍ଷୁଦ୍ର ନାଟକ ପୁସ୍ତିକା ‘ଜେଜିମା’ ଓ ‘ପରିବର୍ତ୍ତନ’ ଲୋକାର୍ପିତ
ବାଲେଶ୍ୱର : ବାଲେଶ୍ୱର-ଭଦ୍ରକ ସମବାୟ ବ୍ୟାଙ୍କ କର୍ମଚାରୀ ସଂଘ ସଭାଗୃହରେ ଶିଶୁ ସାହିତ୍ୟିକ ପୀତାମ୍ବର ଦାସଙ୍କ ଦୁଇ କ୍ଷୁଦ୍ର ନାଟକ ପୁସ୍ତିକା ‘ଜେଜିମା’ ଓ ‘ପରିବର୍ତ୍ତନ’ ଲୋକାର୍ପିତ ହୋଇଯାଇଛି । ଆୟୋଜିତ ଉତ୍ସବକୁ ବିଶିଷ୍ଟ ଶିକ୍ଷାବିତ୍ ଡ. ପ୍ରହ୍ଲାଦ ଚରଣ ମହାନ୍ତି ଉଦ୍ଘାଟନ କରିବା ସହିତ ଏହି କ୍ଷୁଦ୍ର ନାଟକ ଦ୍ୱୟ ଓଡ଼ିଆ ଶିଶୁ ସାହିତ୍ୟକୁ ସମୃଦ୍ଧି କରିବ ବୋଲି ଆଶା ପ୍ରକାଶ କରିଥିଲେ । ମଞ୍ଚାସୀନ ଅତିଥିମାନେ ଦୁଇ ପୁସ୍ତକକୁ ଉନ୍ମୋଚନ କରିବା ସହ ପୁସ୍ତକର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।
କବି ବ୍ରଜେନ୍ଦ୍ର ନାଥ ଗିରିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଫେସର ଡ. ମନୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୀ ଦାସଙ୍କ ଶିଶୁ ସାହିତ୍ୟର ବିଭିନ୍ନ ଦିଗ ଓ କ୍ଷୁଦ୍ର ନାଟକର ସାମାଜିକ ବାର୍ତ୍ତା ସମ୍ପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ଖବରଦାତା କୁଳମଣି ବାରିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ଦାସଙ୍କ ପ୍ରତିଟି ସାହିତ୍ୟରେ ଥିବା ମୌଳିକ ତଥା ଶିକ୍ଷଣୀୟ ବିଷୟବସ୍ତୁ ଶିଶୁ ସାହିତ୍ୟକୁ ନୂଆ ଦିଶା ସଦୃଶ ହୋଇଛି ବୋଲି କହିଥିଲେ । ଶିକ୍ଷାବିତ୍ ଡ. ରାଧାରଞ୍ଜନ ପଟ୍ଟନାୟକ, ଅଧ୍ୟାପକ ଡ. ଦିଲୀପ ରଥ, ଖବରଦାତା ସୃଷ୍ଟିଧର ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟରେ ଶିଶୁ ସାହିତ୍ୟକଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଶିଶୁ ସାହିତ୍ୟକ ଶ୍ରୀ ଦାସଙ୍କ ଭାବପୂର୍ଣ୍ଣ ତଥା ସକାରାତ୍ମକ ବାର୍ତ୍ତା ସମ୍ବଳିତ ଦୁଇ କ୍ଷୁଦ୍ର ନାଟକ ପାଠକଙ୍କ ମନକୁ ଛୁଇଁବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ । ଶିଶୁ ସାହିତ୍ୟକ ତଥା ଦୁଇ କ୍ଷୁଦ୍ର ନାଟକର ରଚୟିତା ଶ୍ରୀ ଦାସ ଏଥିରେ ନିଜର ଲେଖକୀୟ ଅନୁଭୁତି ସମ୍ପର୍କରେ କଥା ରଖିଥିଲେ । ଅଧ୍ୟାପକ ପ୍ରଦୀପ୍ତ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଲକ୍ଷ୍ମୀଧର ପରିଡ଼ା ପ୍ରାକ୍ ସୂଚନା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
