କୋଶଳ ରାଜ୍ୟ ଗଠନ ନିମନ୍ତେ ଦାବି ପତ୍ର ଦେବାପାଇଁ କୋଶଳ ରାଜ୍ୟ ମୁକ୍ତିମୋର୍ଚ୍ଚାର ନବୀନ ନିବାସ ଅଭିମୁଖେ ଯାତ୍ରା
ଭୁବନେଶ୍ୱର : ଆଜି ନୂଆକରି ଓଡ଼ିଶାରୁ ଅଲଗା ହୋଇ କୋଶଳ ରାଜ୍ୟ କରିବା ଦାବିରେ କୋଶଳ ରାଜ୍ୟ ମୁକ୍ତିମୋର୍ଚ୍ଚା ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବିପତ୍ର ଦେବା ଉଦ୍ଦେଶ୍ୟରେ ନବୀନ ନିବାସ ଅଭିମୁଖେ ଯାତ୍ରା କରୁଥିବା ଦେଖାଯାଇଥିଲା । ପବିତ୍ର ହରିଶଙ୍କରଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଦୀର୍ଘ ୪୫୦ କି.ମି. ରାସ୍ତା ଅତିକ୍ରମ କରି ଆଜି ଭୁବନେଶ୍ୱରରେ ମାଷ୍ଟରକ୍ୟାଂଟିନ୍ ଛକ ପାଖରେ ପହଂଚିଥିଲା ଏବଂ ପୁଣି ସେହିଠାରୁ ନବୀନ ନିବାସ ଅଭିମୁଖେ ଦାବିପତ୍ର ଦେବାପାଇଁ ଯାଇଥିଲେ । ଆମେ ପଶ୍ଚିମ ଓଡ଼ିଶା ବାସୀ ସବୁ କ୍ଷେତ୍ରରେ ଅବହେଳିତ । ଏଣିକି ଆମେ ଆମର ଶାସନ କରିବୁ । ଏଥିପାଇଁ ଆମକୁ ଓଡ଼ିଶାରୁ ଅଲଗା ହୋଇ ନୂଆ କୋଶଳ ରାଜ୍ୟ ଗଠନ କରିବା ପାଇଁ ପଶ୍ଚିମ ଓଡ଼ିଶାବାସୀ ନିଷ୍ପତି ନେଇଛନ୍ତି ବୋଲି କୋଶଳରାଜ୍ୟ ମୁକ୍ତିମୋର୍ଚ୍ଚା ତରଫରୁ କୁହାଯାଇଛି । ପଶ୍ଚିମ ଓଡ଼ିଶାକୁ ଯେହେତୁ ଦଶନ୍ଧି ଦଶନ୍ଧି ଧରି ସରକାର ଅବହେଳା କରିଆସୁଛନ୍ତି, ସେତେବେଳେ ଆମେ ଆମର ହକ୍ ପାଇଁ ତଥା ବିକାଶ ପାଇଁ ଓଡ଼ିଶାରୁ ଅଲଗା ହୋଇ କୋଶଳ ରାଜ୍ୟ ଗଢିବୁ, ଆଉ ଅବହେଳାର ଶିକାର ହେବୁନାହିଁ ବୋଲି କହିଛନ୍ତି, କୋଶଳ ରାଜ୍ୟ ମୁକ୍ତିମୋର୍ଚ୍ଚାର ଆବାହକ ସୁଶୀଲ କୁମାର ଗୁରୁ । ଆମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିନି ବର୍ଷ ହେଲା ଘର ପାଉନାହୁଁ । ସରକାର ୩୫% ଜଳସେଚନର ଯେଉଁ ବ୍ୟବସ୍ଥା କରିବା ପାଇଁ ସରକାର ଘୋଷଣା କରିଥିଲେ ପଶ୍ଚିମ ଓଡ଼ିଶା ବାସୀ ପାତର ଅନ୍ତରର ଶିକାର ହେଉଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ସବୁଥିରେ ପଶ୍ଚିମଓଡ଼ିଶା ବାସୀ ଅବହେଳିତ । ଆମେ ନାହିଁ ନଥିବା ସମସ୍ୟା ଭିତରେ ଅଛୁ । ଯଦି ନବୀନ ପଟ୍ଟନାୟକ ଏତେବଡ଼ ଓଡ଼ିଶାକୁ ଚଳାଇ ପାରୁନାହାଁନ୍ତି, ତେବେ ଆମକୁ କୋଶଳ ରାଜ୍ୟ କରି ଅଲଗା କରାଯାଉ ବୋଲି ଦାବି କରିଛନ୍ତି ଆବାହକ ଶ୍ରୀ ଗୁରୁ । ଏଥିପାଇଁ ଆମେ ଗତ ଜୁଲାଇ ୫ ତାରିଖରେ ରାଜଧାନୀ ଆସି ବିଧାନସଭା ଘେରାଉ କରିଥିଲୁ ଏବଂ ସରକାରଙ୍କୁ ଦାବିପତ୍ର ଦେଇଥିଲୁ । ହେଲେ ତା’ର ଉ ର ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ । ସରକାର ଯଦି ଆମର ଦାବି ନ ଶୁଣିବେ, ତେବେ ଆନ୍ଦୋଳନ ଆହୁରି ତୀବ୍ର ହେବ, ଗାଁ ଗାଁ କୁ ଯିବ ଓ ଆଗାମୀ ବିଧାନସଭା ଅଧିବେଶନ ସମୟରେ ୨୫ ହଜାରରୁ ଅଧିକ ଲୋକ ପଶ୍ଚିମ ଓଡ଼ିଶାରୁ ଆସି ଭୁବନେଶ୍ୱରରେ ଆନ୍ଦୋଳନ କରିବେ ବୋଲି ଚେତାବନି ଦେଇଛନ୍ତି ସୁଶୀଲ କୁମାର ଗୁରୁ । ସେହିପରି ଆମେ ଦୀର୍ଘ ୪୦ ବର୍ଷ ଧରି କୋଶଳ ରାଜ୍ୟ ପାଇଁ ଦାବି କରିଆସୁଅଛୁ । ଆମ ଅଂଚଳର ସମ୍ପୂର୍ଣ୍ଣ ବିକାଶ ପାଇଁ ଦାବି କରୁଛୁ । ହେଲେ ସରକାର କିଛି ଶୁଣୁନାହାଁନ୍ତି । ଆମକୁ ସାମାନ୍ୟ କଥା ପାଇଁ ଆନ୍ଦୋଳନ କରିବାକୁ ପଡ଼ୁଛି । ନଳକୂପ ଟିଏ ପାଇଁ ହେଉ କି ସ୍କୁଲ୍ର ଶିକ୍ଷକ ପାଇଁ ହେଉ ସବୁ କଥାରେ ରାସ୍ତାକୁ ଓହ୍ଲାଇବାକୁ ପଡ଼ୁଛି । ନବୀନ ପଟ୍ଟନାୟକ ଠିକ୍ ଶାସନ ପଶ୍ଚିମ ଓଡ଼ିଶାକୁ ଦେଇ ପାରୁନଥିବାରୁ ଆମକୁ ଆମର ବିକାଶ ଓ ସୁବିଧା ପାଇଁ ଶାସନ କରିବାକୁ ଛଡ଼ାଯାଉ ବୋଲି ଦାବି କରିଛନ୍ତି କୋଶଳ ରାଜ୍ୟ ମୁକ୍ତିମୋର୍ଚ୍ଚାର ଅନ୍ୟତମ ଆବାହକ ସୁବାଷ ଆଚାର୍ଯ୍ୟ । ଅଲଗା ହେଲେ ଆମକୁ ସବୁ ସୁବିଧା ମିଳିବ । ଆମର ଦାବି ପୂରଣ ପାଇଁ ଆନ୍ଦୋଳନ କରିବାକୁ ପଡ଼ୁଛି । ଚାଷୀ ମରୁଡି ପାଇଁ ଇନ୍ସ୍ୟୁରାନ୍ସ ପଇସା ଅଟୋମେଟିକ୍ ପାଇବା କଥା, କିନ୍ତୁ ସେଥିପାଇଁ ଚାଷୀଙ୍କୁ ଆନ୍ଦୋଳନ କରିବାକୁ ପଡୁଛି । ସ୍କୁଲ୍ରେ ଶିକ୍ଷକ ନିଯୁକ୍ତି ପାଇଁ ଆନ୍ଦୋଳନ କରିବାକୁ ପଡୁଛି । ଆନ୍ଦୋଳନ କଲାପରେ ଡେପୁଟେସନ୍ରେ ଶିକ୍ଷକ ଦିଆଯାଉଛି । ଆମେ ପୁରା ଅବହେଳିତ ଅଛୁ । ସରକାର କିଛି କରିପାରୁନଥିବାରୁ ଓ ଆମ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ଆମେ ଅଲଗା ରାଜ୍ୟ କରିବା ପାଇଁ ଚାହୁଁଛୁ ବୋଲି କହିଛନ୍ତି କୋଶଳ ରାଜ୍ୟ ମୁକ୍ତିମୋର୍ଚ୍ଚାର ସାଧାରଣ ସମ୍ପାଦକ ଚିନ୍ମୟ ସାହୁ । ଦେଶ ୭୫ବର୍ଷ ସ୍ୱାଧୀନତା ପାଇବା ପରେ ମଧ୍ୟ ପଶ୍ଚିମ ଓଡ଼ିଶା ଭୋକର ଭୂଗୋଳ ଭାବେ ପରିଚିତ ଓ ସେଠାରେ ମଣିଷ ବେପାର ପାଇଁ ସରକାରୀ ସ୍ୱୀକୃତି ମିଳିିଛି । ମଣିଷକୁ ଛେଳି, ମେଣ୍ଢା ଭଳି ବିକ୍ରି କରାଯାଉଛି, ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି, ଆମର ଶିକ୍ଷା, ସ୍ୱାସ୍ଥ୍ୟ ସବୁ ଧ୍ୱଂସ ପାଇଯାଇଛି । ଡାକ୍ତର ନାହାଁନ୍ତି, ଅତିଥି, ଅଧ୍ୟାପକମାନେ କଲେଜରେ ପାଠ ପଢାଉଛନ୍ତି । ଖାଲି ଇନ୍ଫ୍ରାଷ୍ଟ୍ରକଚର ନାଁରେ ଜୋରଦାର ବେପାର ଚାଲିଛି ବୋଲି କହିଛନ୍ତି କୋଶଳ ରାଜ୍ୟ ମୁକ୍ତିମୋର୍ଚ୍ଚାର ସଭାପତି ସୁଶୀଲ ନାୟକ ।
