ମହା ଆଡ଼ମ୍ବରେ ଉଦଘାଟିତ ହେଲା ଲୋକ ମହୋତ୍ସବ ମଣ୍ଡେଇ
ନବରଂଗପୁର : ନବରଙ୍ଗପୁର ଜିଲ୍ଲାର ବହୁ ପ୍ରତିକ୍ଷିତ ଲୋକ ମହୋତ୍ସବ ମଣ୍ଡେଇ ଆଜି ମହା ଆଡ଼ମ୍ବରରେ ଉଦଘାଟିତ ହୋଇ ଯାଇଛି । ଆଜି ମା’ ଭଣ୍ଡାର ଘୋରଣୀ ମନ୍ଦିରରୁ ପୂଜାଅର୍ଚ୍ଚନା କରାଯାଇ ଏକ ବିଶାଳ ଶୋଭା ଯାତ୍ରା ବାହାରିଥିଲା। ଆଜିଠାରୁ ଅର୍ଥାତ୍ ୧୨ ତାରିଖ ପର୍ଯ୍ୟନ୍ତ ମଣ୍ଡେଇ ଅନୁଷ୍ଠିତ ହେବ ଓ ୧୩,୧୪ ତାରିଖ ଦିନ ପଲ୍ଲିଶ୍ରୀ ମେଳା କାର୍ଯ୍ୟକ୍ରମ ରହିଛି। ଗତ ୨୦୧୯ ମଣ୍ଡେଇ ଅପେକ୍ଷା ଏହା ସ୍ବତନ୍ତ୍ର ରହିବ ବୋଲି ସୂଚନା ଦିଆଯାଇଛି। ଚଳିତଥର ପ୍ରଥମଥର ପାଇଁ ସର୍ବାଧିକ ୩୬୦ଟି ଷ୍ଟଲ କରାଯାଇଛି। ଏହା ସହିତ ରାସ୍ତାକଡରେ ବସୁଥିବା ଉଠା ଦୋକାନୀଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନରେ ବିନା ମୂଲ୍ୟରେ ପ୍ରଥମ ଥର ପାଇଁ ୧୬୦ଟି ଷ୍ଟଲ ଆବଣ୍ଟନ କରାଯାଇଛି। ପଲ୍ଲିଶ୍ରୀ ମେଳା ସହିତ ଜିଲ୍ଲାର ବିଭିନ୍ନ ବିଭାଗର ଉନ୍ନୟନ ପ୍ରଦର୍ଶନ କରାଯାଇଛି। ମଣ୍ଡେଇ ମହୋତ୍ସବରେ ୪୫ଟି ଖାଦ୍ୟ ଷ୍ଟଲ କରାଯାଇଛି। ଖାଦ୍ୟର ମାନକୁ ଖାଦ୍ୟ କମିଟି ତଦାରଖ କରିବେ। ପାନୀୟଜଳ,ପାଇଖାନା ବ୍ୟବସ୍ଥା ପଡିଆ ଚତୁଃପାର୍ଶ୍ବରେ ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଛି। ପାନୀୟଜଳ ନିମନ୍ତେ ୩ଟି ଗଭୀର ନଳକୂପ ଖୋଳାଯାଇ ବ୍ୟବସ୍ଥା କରାଯାଇଛି। ସମଗ୍ର ପଡିଆରେ ଆଲୋକିକରଣ ୧୦ଟି ଟାଓ୍ବାର ନିର୍ମାଣ କରାଯାଇଛି। ଏଥିପାଇଁ ୨ଟି ଉଚ୍ଚ କ୍ଷମତା ସମ୍ପନ୍ନ ବିଶିଷ୍ଟ ଟ୍ରାନ୍ସଫରମର ବସାଯାଇଛି। ଲୋକଙ୍କ ସୁବିଧା ନିମନ୍ତେ ଜରୁରୀ କାଳିନ ବ୍ୟବସ୍ଥାକୁ ନେଇଁ ଅଗ୍ନିନିର୍ବାପନ ୨୪ ଜଣିଆ ଟିମ ଗଠନ କରାଯାଇଛି। ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଆମ୍ବୁଲାନସ୍ ବ୍ୟବସ୍ଥା ସହିତ ପୋଲିସ୍ କଣ୍ଟ୍ରୋଲ ରୂମର ବ୍ୟବସ୍ଥା କରାଯାଇଛି। ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥାକୁ ସୂଚାରୁ ରୂପେ ନିର୍ବାହ କରିବାକୁ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୨୬ ଗୋଟି ସିସି ଟିଭି କ୍ୟାମେରା ଲଗାଯାଇଛି। ସୂଚନା ମୁତାବକ ୬.୩୦ ସୁଦ୍ଧା ମଣ୍ଡେଇ ପଡିଆ ଠାରେ ପ୍ରସେସନ ପହଞ୍ଚିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏଥିରେ ୩ଟି ଅନ୍ୟ ରାଜ୍ୟ ସମେତ ୧୫ ଗୋଟି ଜିଲ୍ଲାରୁ ସାଂସ୍କୃତିକ ଦଳ ଯୋଗ ଦେଇଛନ୍ତି। ଏହାଛଡା ୫ ଦିନ ଧରି ସ୍ଥାନୀୟ ଦେଶୀଆ ନାଟକ ପରିବେଶଣ କରାଯିବ। ଆଜି ମଣ୍ଡେଇ ମହୋତ୍ସବର ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ତଥା ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା,ଜିଲ୍ଲାର ଲୋକସଭା ସାଂସଦ ରମେଶଚନ୍ଦ୍ର ମାଝୀ,ରାଜ୍ୟସଭା ସାଂସଦ ମୁନ୍ନା ଖାଁ,୪ଟି ବିଧାନସଭାର ବିଧାୟକ ସଦାଶିବ ପ୍ରଧାନୀ,ମନହୋର ରନ୍ଧାରୀ,ପ୍ରକାଶ ଚନ୍ଦ୍ର ମାଝୀ,ନିତ୍ୟାନନ୍ଦ ଗଣ୍ଡ,ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ମାନ୍ୟବର ସ୍ବତନ୍ତ୍ର ବିକାଶ ପରିଷଦ୍ ଉପଦେଷ୍ଟା ପ୍ରଦିପ ମାଝୀ,ସ୍ବତନ୍ତ୍ର ବିକାଶ ପରିଷଦ୍ ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ ତଥା ଜିଲ୍ଲା ସଂସ୍କୃତି ପରିଷଦ୍ ଅଧ୍ୟକ୍ଷ ଡ କମଳଲୋଚନ ମିଶ୍ର ଯୋଗ ଦେଇ ଥିଲେ। କୋରାନା ପରେ ତିନି ବର୍ଷ ଧରି ବନ୍ଦ ରହିବା ପରେ ଚଳିତ ବର୍ଷ ଆୟୋଜିତ ମଣ୍ଡେଇ ପାଇଁ ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି ।
