ଏପରି ଭୋଟ ମିଳିଲେ କଂଗ୍ରେସ ଦଳ ଲୋପ ପାଇଯିବ : ତାରା
ଭୁବନେଶ୍ୱର : କଂଗ୍ରେସ ଭୋଟ ବିଜେଡିକୁ ଯାଇଛି । ବହୁ ଲୋକ କହୁଛନ୍ତି କଂଗ୍ରେସ ଭୋଟ ବିକି ଖାଇଦେଲେ । ଦୁଇ ଦୁଇଟା ଉପନିର୍ବାଚନରେ ଆମର ଅମାନତ ଗଲାଣି । ଆମ ପାଇଁ ଲଜ୍ଜାଜନକ କଥା । ପିସିସି ସଭାପତି ତର୍ଜମା କରିବା ଦରକାର, ବୈଠକ ଡାକିବା ଦରକାର, ନିଜକୁ ପରଖିବା ଦରକାର । ଆଜି ଯାଏ ପିସିସି କମିଟି ହୋଇପାରିନି । ଯଦି ଏପରି ଭୋଟ ମିଳେ ତାହାଲେ କଂଗ୍ରେସ ଦଳ ଲୋପ ପାଇଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ପଦ୍ମପୁର ଉପନିର୍ବାଚନର ଫଳାଫଳକୁ ନେଇ ପ୍ରତିକ୍ରିୟା ଦେଇ ଶ୍ରୀ ବାହିନୀପତି କହିଛନ୍ତି ରେଜଲ୍ଟ ଆସିବାର ଦିନକ ପୂର୍ବରୁ ସଭାପତି କେମିତି ଜାଣିଲେ ଆମେ ହାରିଯିବୁ । ପିସିସି ସଭାପତିମାନେ ନିଜ ନିଜ ଗୋଷ୍ଠୀ ତିଆରି କରି ଚାଲୁଛନ୍ତି । ଯେଉଁଥିପାଇଁ ଦଳର ଏଭଳି ଅବସ୍ଥା ହେଉଛି । ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ପଡ଼ିବ । ସେ ଆହୁରି କହିଛନ୍ତି, ପଦ୍ମପୁର ନିର୍ବାଚନ ଫଳ ୨୦୨୪ ଉପରେ ପଡ଼ିବନି । ରାତିକରେ ସରକାର ବଦଳିପାରେ । ନବୀନ ସରକାର ଏଠି ବିଜେପି ସହ ମାଡ଼ ଗୋଳ, ହେଲେ ଦିଲ୍ଲୀରେ କୋଳାକୋଳି । ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ୨୦୨୪ରେ ବିଜେପି କେନ୍ଦ୍ରରେ ରହିବ କି ନାହିଁ ଦେଖନ୍ତୁ ।
