ରାଜ୍ୟରେ ଛେଳିଙ୍କ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ କରାଯିବ
ଭୁବନେଶ୍ୱର : ଛେଳିପାଳନ ରାଜ୍ୟର ଗ୍ରାମାଂଚଳ ଲୋକଙ୍କ ଜୀବିକାର୍ଜନର ଏକ ପ୍ରମୁଖ ମାଧ୍ୟମ ହୋଇଥିବାବେଳେ ଛେଳିଙ୍କ କୃତ୍ରିମ ପ୍ରଜନନ ଉଚ୍ଚ ଗୁଣବତାସଂପନ୍ନ ଛେଳି ଉତ୍ପାଦନରେ ସହାୟକ ହେବ । ଏହା ଦ୍ୱାରା ପ୍ରାଣୀସଂପଦର ପ୍ରଭୂତ ବିକାଶ ଘଟିବ ଓ ଛେଳିଚାଷୀଙ୍କ ଆୟବୃଦ୍ଧି ସହିତ ରାଜ୍ୟରେ ମାଂସ ଉତ୍ପାଦନ ବୃଦ୍ଧି ପାଇବ । ଶୁକ୍ରବାର କୃଷିଭବନଠାରେ ରାଜ୍ୟରେ ଛେଳିଙ୍କ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ, ତଫସିଲଭୁକ୍ତ ଜାତି ଓ ଉପଜାତିଙ୍କ ହିତ ଓ ଆୟବୃଦ୍ଧି ଦିଗରେ ଛେଳିଙ୍କ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ ଏକ ସମୟୋଚିତ ପଦକ୍ଷେପ । କମ୍ ସଂଖ୍ୟକ ଛେଳି ପାଳନ କରୁଥିବା ଚାଷୀଙ୍କ ପକ୍ଷରେ ଛେଳିଙ୍କ ପ୍ରଜନନ ନିମନ୍ତେ ବୋଦା ପାଳିବା ସମ୍ଭବପର ହେଉନଥିବାବେଳେ ଛେଳିଙ୍କ ଜେନେଟିକ୍ ଉନ୍ନତି ଏବଂ ଉଚ୍ଚ ମାନର ଛେଳିର ଉତ୍ପାଦନ ପାଇଁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଛେଳିଙ୍କ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ରାଜ୍ୟରେ ଉପଲବ୍ଧ ବ୍ଲାକ୍ ବେଙ୍ଗଲ୍ ଏବଂ ଗଞ୍ଜାମ ପ୍ରଜାତିର ଛେଳିର ଶୁକ୍ର ବ୍ୟବହାର କରି ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ କରାଯିବ । ହିତାଧିକାରୀ ଚୟନ ଓ ଏହାର ସଫଳ ରୂପାୟନ ନିମନ୍ତେ ଜିଲ୍ଲାସ୍ତରରେ ଏକ ପାରଦର୍ଶୀ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଲେ ଯେ ରାଜ୍ୟରେ ସମସ୍ତ ଜିଲ୍ଲାରେ ୫୬୫ ଗୋଟି ଫିଲ୍ଡ ଏଆଇ ସେଂଟର ମାଧ୍ୟମରେ ଏହି ଯୋଜନା କାର୍ଯ୍ୟକାରୀ ହେବ । କାର୍ଯ୍ୟକ୍ରମରେ ତଫସିଲଭୁକ୍ତ ଜାତି/ଉପଜାତିର ଛେଳିପାଳକମାନଙ୍କୁ ପ୍ରାଥମିକତା ଦିଆଯିବ । କୃତ୍ରିମ ପ୍ରଜନନ ପରେ ଛେଳିମାନଙ୍କ ଚିହ୍ନଟ ପାଇଁ କାନନୋଳି ପିନ୍ଧାଯିବାର ବ୍ୟବସ୍ଥା କରାଯାଇଛି । ଏଥି ସହିତ ଉଭୟ ଛେଳି ଓ ହିତାଧିକାରୀଙ୍କ ସବିଶେଷ ତଥ୍ୟ ସହିତ କୃତ୍ରିମ ପ୍ରଜନନ ମାଧ୍ୟମରେ ଜନ୍ମ ହୋଇଥିବା ଛେଳିମାନଙ୍କର ତଥ୍ୟ ଲିପିବଦ୍ଧ କରାଯିବ । କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରାଣୀସଂପଦ ବିକାଶର ବିଭିନ୍ନ ଯୋଜନା ସଂପର୍କିତ ଏକ କମ୍ପେଡିୟମ୍ ଓ ପକେଟ୍ ବୁକ୍ ର ଶୁଭ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ବିଭାଗୀୟ ଅଧିକାରୀମାନଙ୍କ ସମେତ ରାଜ୍ୟର ଛଅଟି ଜିଲ୍ଲାରୁ ଆସିଥିବା ଛେଳିଚାଷୀମାନେ ଉପସ୍ଥିତ ଥିବାବେଳେ ଅନ୍ୟ ସମସ୍ତ ଜିଲ୍ଲାର କ୍ଷେତ୍ର ଅଧିକାରୀ ଓ ଛେଳିଚାଷୀମାନେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇଥିଲେ ।
