ଜି-୨୦ ଯୁବ ଗୋଷ୍ଠୀର କୋଷାଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ଓମ୍ ପ୍ରିୟଦର୍ଶୀ
ଭୁବନେଶ୍ୱର : ଓଡ଼ିଆ ପୁଅ ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କୁ ଭାରତ ଅଧ୍ୟକ୍ଷତାରେ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଗୁରୁ ଦାୟିତ୍ୱ ଦିଆଯାଇଛି । ସେ ପ୍ରମୁଖ ୧୯ ରାଷ୍ଟ୍ର ଓ ୟୁରୋପୀୟ ରାଷ୍ଟ୍ରସଂଘକୁ ନେଇ ଗଠିତ ଯୁବଗୋଷ୍ଠୀର କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଓମ୍ ଆଗାମୀ ବର୍ଷ ଭାରତ ଓ ଅନ୍ୟ ଜି-୨୦ ରାଷ୍ଟ୍ରଗୁଡିକରେ ଆୟୋଜିତ ହେବାକୁ ଯାଉଥିବା ବିଭିନ୍ନ ପ୍ରାକ ସମ୍ମିଳନୀ, ଯୁବ ସଂଗୋଷ୍ଠୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବୈଶ୍ୱିକ ସମସ୍ୟାର ସମାଧାନ ନିମିତ କାର୍ଯ୍ୟଶାଳାର ପରିଚାଳନା କରିବେ । ଓଡ଼ିଶାରେ ମଧ୍ୟ ଜି-୨୦ ର ଏଜେଣ୍ଡାକୁ ନେଇ ବିଶ୍ୱବିଦ୍ୟାଳୟ, ସରକାରୀ ଅନୁଷ୍ଠାନ ଓ ସାମାଜିକ ସଙ୍ଗଠନ ମାଧ୍ୟମରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଭାରତର ଜି-୨୦ ସଂଗଠନର ଅଧ୍ୟକ୍ଷତା ଏକ ସାର୍ବଜନୀନ ଏକତ୍ୱର ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରିବ । ତେଣୁ ଆମର ମୂଳ ପ୍ରସଙ୍ଗ ହେଉଛି – “ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ” । ଏହା କେବଳ ଏକ ସ୍ଲୋଗାନ ନୁହେଁ । ଏହା ସମ୍ପ୍ରତି ମାନବୀୟ ପରିସ୍ଥିତିରେ ଘଟୁଥିବା ପରିବର୍ତନକୁ ମଧ୍ୟ ପ୍ରଦର୍ଶିତ କରୁଛି ଯାହାକୁ ଆମେ ସାମୂହିକ ଭାବେ ସ୍ୱୀକାର କରିବାରେ ବିଫଳ ହୋଇଛୁ । ଆଜି ଆମେ ଜଳବାୟୁ ପରିବର୍ତନ, ଆତଙ୍କବାଦ ଏବଂ ବୈଶ୍ୱିକ ମହାମାରୀ ପରି ଯେଉଁ ବୃହତ୍ ବିପଦର ସାମ୍ନା କରୁଛୁ ତାହା ପରସ୍ପର ମଧ୍ୟରେ ବିବାଦରେ ଲିପ୍ତ ରହିଲେ କଦାପି ସମାଧାନ କରିହେବନାହିଁ, ବରଂ ମିଳିତ ଭାବେ ସେସବୁର ମୁକାବିଲା କରିବା ଆବଶ୍ୟକ । ଏନ.ଆଇ.ଟି ରାଉରକେଲାରୁ ସ୍ନାତକୋତର ହାସଲ କରିଥିବା ଓମ୍ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶ୍ରେଷ୍ଠ ଯୁବ ଲେଖକ ଭାବେ ସମ୍ମାନୀତ ହୋଇ ସାରିଛନ୍ତି । ଖୋର୍ଦ୍ଧାର ଜଣେ ଛାତ୍ରନେତା ଭାବେ ପରିଚିତ ଥିବା ଓମ୍ ଙ୍କୁ ଏକ ଆନ୍ତର୍ଜାତୀୟ ନେତୃତ୍ୱ ମିଳିଥିବାରୁ ସ୍ଥାନୀୟ ଅଂଚଳରେ ଖୁସିର ମାହୋଲ ଖେଳି ଯାଇଛି ।
