ଏଥର ବି ବିନା ଭକ୍ତରେ ରଥଯାତ୍ରା !
ପୁରୀ : ପୁରୀରେ ରଥ ନିର୍ମାଣ ଆଗେଇ ଚାଲିଛି । ଏହାରି ମଧ୍ୟରେ ବାହାର ଚନ୍ଦନଯାତ୍ରା ଶେଷ ହୋଇଥିବା ବେଳେ ଶନିବାର ଠାରୁ ଭିତର ଚନ୍ଦନଯାତ୍ରା ଆରମ୍ଭ ହେବ। ଏଥର ମଧ୍ୟ କରୋନା କଟକଣା ଭିତରେ ରଥଯାତ୍ରା ଅନୁଷ୍ଠିତ ହେବ। ଢଳି ଢଳି ପହଣ୍ଡି କରି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଶ୍ରୀ ଜଗନ୍ନାଥ କିନ୍ତୁ ଦାଣ୍ଡରେ ରହିବେନି ଲକ୍ଷ ଲକ୍ଷ ଭକ୍ତ। ଚକାନୟନ ସହିତ ମିଶିବନି ଭକ୍ତର ଆଖି। କି ରଥ ଦଉଡ଼ିକୁ ଅଣ୍ଟାରେ ଭିଡ଼ିବନି ଭକ୍ତ। କରୋନା କଟକଣା ବଳବତ୍ତର ରହିବ। ଆଉ କଟକଣା ଭିତରେ ଶ୍ରୀକ୍ଷେତ୍ରରେ ଆୟୋଜିତ ହେବ ରଥଯାତ୍ରା। ନ୍ୟୁଜ ସେଭେନକୁ ମିଳିଥିବା ସୂଚନା ଅନୁସାରେ ଗତବର୍ଷ ଯେଉଁଭଳି ଢଙ୍ଗରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ସ୍ନାନ ଯାତ୍ରା ଠାରୁ ନୀଳାଦ୍ରି ବିଜେ ଶ୍ରୀଜଗନ୍ନାଥଙ୍କ ସବୁ ରୀତିନୀତି ପାଳନ କରାଯିବ କିନ୍ତୁ ଏଥିରେ ସାଧାରଣ ଭକ୍ତଙ୍କୁ ପୁରୀକୁ ଛଡ଼ାଯିବ ନାହିଁ।
ସେହିଭଳି ଭାବେ ଏଥର ରଥଯାତ୍ରା ଆୟୋଜନ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ତେବେ ନିରାଶ ହେବେ ନାହିଁ ଭକ୍ତ ସମୁହ। ୨୪ ତାରିଖରେ ସ୍ନାନ ଯାତ୍ରା, ୧୨ ତାରିଖରେ ଗୁଣ୍ଡିଚା ଯାତ, ୨୦ ତାରିଖରେ ବାହୁଡ଼ା ଯାତ ୨୧ ତାରିଖରେ ସୁନାବେଶ ଏବଂ ୨୩ ତାରିଖରେ ନୀଳାଦ୍ରି ବିଜେ ଯାଏଁ ରଥଯାତ୍ରାର ସମସ୍ତ ପର୍ବର ଟିକିନିଖି କାର୍ଯ୍ୟକ୍ରମ ଟିଭିରେ ଉପଲବ୍ଧ ହେବ। ଏଥିସହିତ ୟୁଟ୍ୟୁବ ଏବଂ ଅନ୍ୟ ସୋସିଆଲ ମିଡିଆରେ ମଧ୍ୟ ଦେଶ ବିଦେଶର ଲୋକମାନେ ଦେଖିପାରିବେ ରଥଯାତ୍ରା। ଏବେ ଶ୍ରୀଜୀଉଙ୍କ ଚନ୍ଦନ ଯାତ୍ରା ଚାଲିଛି। ବାହାର ଚନ୍ଦନ ଯାତ୍ରା ସରିଥିବା ବେଳେ କାଲିଠାରୁ ଚାଲିବ ଭିତର ଚନ୍ଦନ ଯାତ୍ରା। ସେପଟେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ତିନି ରଥର ୪୨ଟି ଚକ ମଧ୍ୟରୁ ୨୧ଟି ଚକ ନିର୍ମାଣ ଶେଷ ହୋଇଥିବା ବେଳେ କାମରେ ଲାଗିଛନ୍ତି ୧୮୮ସେବାୟତ। ପରମ୍ପରା ମୁତାବକ ୨୪ ତାରିଖ ଦେବସ୍ନାନ ପୂର୍ଣ୍ଣମୀରେ ରଥର ଚାରି ନାହାକା ଉଠିବ। ଏ ସମସ୍ତ କାର୍ଯ୍ୟ କୋଭିଡ କଟକଣା ମଧ୍ୟରେ ସଂପାଦିତ ହେଉଛି। ବାୟୋ ବବଲ ଭିତରେ ରହି ସେବାୟତମାନେ ରଥ ନିର୍ମାଣ କରୁଛନ୍ତି। ଏହା ସତ୍ତ୍ଵେ ବି ସଂକ୍ରମଣର ଭୟ ସବୁ ବେଳେ ରହୁଛି। ତେଣୁ ଆଗକୁ ସ୍ନାନଯାତ୍ରା ଓ ରଥଯାତ୍ରା କଟକଣାରେ ତିଳେବି କୋହନ କରାନଯିବାକୁ ସେବାୟତ ଓ ପୁରୀ ବାସିନ୍ଦା ଅପିଲ କରିଛନ୍ତି। ଭକ୍ତ ପ୍ରତ୍ୟକ୍ଷ ଭାବେ ବଡ଼ଦାଣ୍ଡକୁ ଆସୁ କି ନ ଆସୁ, ଜଗତର ଠାକୁର ଶ୍ରୀଜଗନ୍ନାଥ ଆସନ୍ତୁ। ଦୂରରୁ ରହି ଟିଭିରେ ହେଲେବି ମନପୂରାଇ ଦେଖିଦେଲେ ସେଇଥିରେ ବି ଧନ୍ୟ ହୋଇଯିବ ଭକ୍ତ।
