୧୪ରୁ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ, ଆହତ ଯୋଗୁଁ ବାଦ ପଡ଼ିବେ ରୋହିତ
ନୂଆଦିଲ୍ଲୀ : ବାଂଲାଦେଶ ଗସ୍ତରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ଆଗୁଆ ହାରିସାରିଥିବା ଭ୍ରମଣକାରୀ ଭାରତୀୟ ଦଳକୁ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଝଟ୍କା ଲାଗିଛି । ଏହାର ଅଧିନାୟକ ରୋହିତ ଶର୍ମା ଆହତ ହେବାରୁ ଟେଷ୍ଟ ଶୃଙ୍ଖଳାରୁ ବଞ୍ଚିତ ହେବା ସ୍ପଷ୍ଟ ହୋଇଛି।
ତାଙ୍କ ବାମହାତ ବୁଢ଼ା ଆଙ୍ଗୁଠି ଭାଙ୍ଗିଯାଇଥିବା ସତ୍ତ୍ବେ ବୁଧବାର ଦ୍ବିତୀୟ ଦିନିକିଆରେ ଦଳକୁ ପରାୟଜରୁ ରକ୍ଷା କରିବା ପାଇଁ ନିମ୍ନକ୍ରମରେ ବ୍ୟାଟିଂ ପାଇଁ ଆସି ଲଢ଼ିଥିଲେ ମଧ୍ୟ ଭାରତ ୫ ରନ୍ରେ ହାରିଯାଇଥିଲା। ଆହତ ଗୁରୁତର ହେବାରୁ ସେ ଟେଷ୍ଟ୍ ଶୃଙ୍ଖଳାରୁ ଓହରିଯାଇଛନ୍ତି। ପ୍ରଥମ ଟେଷ୍ଟ୍ ୧୪ ତାରିଖରୁ ଚଟୋଗ୍ରାମରେ ଖେଳାଯିବାକୁ ଥିଲାବେଳେ ରୋହିତଙ୍କ ସ୍ଥାନ ସଂପ୍ରତି ବାଂଲାଦେଶ ଗସ୍ତରେ ଥିବା ଭାରତ-ଏ ଦଳର ଅଧିନାୟକ ଅଭିମନ୍ୟୁ ଈଶ୍ବରନ୍ ନେବାର ସମ୍ଭାବନା ସୃଷ୍ଟି ହୋଇଛି। ଈଶ୍ବରନ୍ ଚଳିତ ବାଂଲାଦେଶ-ଏ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରେ ଲାଗ ଲାଗ ଶତକ ଜମାଇଛନ୍ତି। ସିଲ୍ହେଟ୍ରେ ଚାଲିଥିବା ଦ୍ବିତୀୟ-ଏ ଟେଷ୍ଟ୍ ଆସନ୍ତାକାଲି ଶେଷ ହେବାପରେ ଈଶ୍ବରନ୍ ବରିଷ୍ଠ ଦଳ ସହ ଯୋଗଦେବେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।
ଈଶ୍ବରନ୍ ବାଂଲାଦେଶ-ଏ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ୧୪୧ ରନ୍ କରିଥିଲା ବେଳେ ଚଳିତ ଦ୍ବିତୀୟ ଟେଷ୍ଟ୍ର ପ୍ରଥମ ପାଳିରେ ୧୫୭ ରନ୍ କରିଛନ୍ତି। ଏହି ବେଙ୍ଗଲ ଅଧିନାୟକଙ୍କର ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ଚମତ୍କାର ରେକର୍ଡ ରହିଛି। ସେ ୭୭ ମ୍ୟାଚ୍ରେ ୪୪ ହାରାହାରିରେ ୫୪୧୯ ରନ୍ କରିଛନ୍ତି। ଯେଉଁଥିରେ ୧୭ ଶତକ ଏବଂ ୨୩ ଅର୍ଦ୍ଧଶତକ ସାମିଲ ରହିଛି। ଈଶ୍ବରନ୍ ଟେଷ୍ଟ୍ ଶୃଙ୍ଖଳାରେ ରୋହିତଙ୍କ ସ୍ଥାନ ନେବା ନିଶ୍ଚିତ ଥିଲା ବେଳେ କେଏଲ୍ ରାହୁଲ ଦଳ ନେତୃତ୍ବ ନେବେ। ସେ ମଧ୍ୟ ପ୍ରଥମ ଟେଷ୍ଟ୍ରେ ଯୁବ ତାରକା ଶୁବମନ ଗିଲ୍ଙ୍କ ସହ ପାଳି ଆରମ୍ଭ କରିବା ସମ୍ଭାବନା ଅଧିକ ରହିଛି। ଅନ୍ୟପକ୍ଷରେ ଆହତ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବଦଳରେ ଭାରତ-ଏ ଦଳର ସଦସ୍ୟ ଥିବା ବେଙ୍ଗଲ ସିମର୍ ମୁକେଶ କୁମାର କିମ୍ବା ଉମ୍ରାନ ମଲ୍ଲିକ ବରିଷ୍ଠ ଦଳରେ ଯୋଡ଼ିହେବେ। ଡାହାଣ କାନ୍ଧରେ ଗୁରୁତର ଆଘାତ ପାଇଥିବା ସାମି ଏବେ ବି ପୂରା ସୁସ୍ଥ ହୋଇନଥିବାରୁ ବାଂଲାଦେଶ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରୁ ବଞ୍ଚିତ ହେବେ। ସେ ଏବେ ଏନ୍ସିଏରେ ଚିକିତ୍ସିତ ହେଉଛନ୍ତି।
