ରାମ ଲକ୍ଷ୍ମଣ ବିଦ୍ୟାପୀଠରେ ବାର୍ଷିକ କ୍ରିଡ଼ା ଉତ୍ସବ
ଯାଜପୁର : ଦଶରଥପୁର ଶିକ୍ଷାମଣ୍ଡଳ ଅନ୍ତର୍ଗତ ଖଣ୍ଡରା ସ୍ଥିତ ରାମଲକ୍ଷ୍ମଣ ଉଚ୍ଚ ବିଦ୍ୟାପୀଠରେ ବାର୍ଷିକ କ୍ରିଡ଼ା ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତୁଷାରକାନ୍ତି ମିଶ୍ରଙ୍କ ପ୍ରଲ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ଏହି ବାର୍ଷିକ କ୍ରିଡ଼ା ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଖଣ୍ଡରା ସରପଞ୍ଚ କୁଟ ବିହାରୀ ଦାସ ଉପସ୍ଥିତ ରହି ଆନୁଷ୍ଠାନିକ ରୂପେ ଉଦ୍ଘାଟନ କରିବା ସହିତ କ୍ରିଡ଼ା ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଶାରିରୀକ, ମାନସିକ ଓ ବୌଦ୍ଧିକ ଉନ୍ନତି ସମ୍ଭବ ହୋଇଥିବା ବେଳେ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋବୃତି ସୃଷ୍ଟି ହୋଇଥାଏ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ପ୍ରାକ୍ତନ ସରପଞ୍ଚ ଚିତ୍ତରଂଜନ ସାହୁ, ଶିକ୍ଷାବିତ ଦେବ ଦିବାକର ବିହାରା, ନାଏବ ସରପଞ୍ଚ ମାନସୀ ବିହାରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନାଦି ଚରଣ ପଣ୍ଡା, ସମାଜସେବୀ ଆନନ୍ଦ ଚନ୍ଦ୍ର ମହଗ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା ସମ୍ପର୍କିତ ବହୁ ଉପାଦୟ ପରାମର୍ଶ ଦେଇଥିଲେ । ଉଦ୍ଘାଟନ ଦିବସରେ ଦୌଡ଼, ଲଙ୍ଗଜମ୍ପ, ହାଇଜମ୍ପ, ମ୍ୟୁଜିକ ଚେୟାର, ଅଖାଦୌଡ଼ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଖେଳ ଶିକ୍ଷକ ଲୋକନାଥ ମହାପାତ୍ରଙ୍କ ନେତୃତ୍ୱରେ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ ।
