ଗଞ୍ଜାମ ଶୁଖୁଆ ବ୍ୟବସାୟକୁ ମିଳିବ ନୂଆ ସୁଯୋଗ : ଜାନୁଆରୀ ପହିଲାରୁ ହୁମ୍ମା ଶୁଖୁଆ ହାଟରେ ନବନିର୍ମିତ ଅତ୍ୟାଧୁନିକ କୋଠାରେ ବ୍ୟବସାୟ ଆରମ୍ଭ ହେବ
ଗଂଜାମ : ଗଞ୍ଜାମ ଜିଲ୍ଲାର ଶୁଖୁଆ ପ୍ରସ୍ତୁତି ଓ କାରବାରକୁ ନୂଆ ସୁବିଧା ସୁଯୋଗ ମିଳିବ । କେବଳ ଯେ ବିକ୍ରିବଟାକୁ ଅଧିକ ବ୍ୟାପକ କରାଯିବ ତା ନୁହେଁ, ଏଥିସହ ଜାତୀୟ ଏପରିକି ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଶୁଖୁଆ ବ୍ୟବସାୟକୁ ପହଂଚାଇବା ପାଇଁ ପ୍ରୟାସ କରାଯିବ । ଏଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଯୋଜନାକୁ ରୂପରେଖ ଦେବା ଆରମ୍ଭ କରିଛି । ଏଥି ଅନ୍ତର୍ଗତ ହୁମ୍ମା ଶୁଖୁଆ ହାଟ, ଡ୍ରାଏ ଫିସ୍ (ଶୁଖୁଆ) କ୍ଲଷ୍ଟରକୁ ନୂଆ ରୂପ ଦିଆଯିବାକୁ ପ୍ରୟାସ ଆରମ୍ଭ ହୋଇଛି । ନୂଆ ବର୍ଷରେ ହୁମ୍ମାର ଶୁଖୁଆ ବ୍ୟବସାୟୀ, ଏଥି ସହ ସମ୍ପୃକ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି)ଙ୍କୁ ଏକ ଉପହାର ଦେବାକୁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ । ଜାନୁଆରୀ ପହିଲାରୁ ହୁମ୍ମା ଶୁଖୁଆ ହାଟରେ ନବନିର୍ମିତ ଅତ୍ୟାଧୁନିକ କୋଠାରେ ଏହି ବ୍ୟବସାୟ ଆରମ୍ଭ ହେବ । ପୂର୍ବରୁ ରାଜପଥ ପାର୍ଶ୍ୱରେ ଖୋଲାମେଲାରେ, ଅସ୍ୱଚ୍ଛ ପରିବେଶରେ, ଖରା- ବର୍ଷା- ଶୀତ ସହି ଶୁଖୁଆ ବିକ୍ରିବଟା କରୁଥିବା ବେପାରୀ ଓ ମହିଳା ଗୋଷ୍ଠୀ ଏହାଦ୍ୱାରା ବେଶ୍ ଉପକୃତ ହୋଇପାରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମତବ୍ୟକ୍ତ କରିଛନ୍ତି ।
