ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ନେତା ଓ କର୍ମୀ
ଭୁବନେଶ୍ୱର : ପଦମପୁର ଉପନିର୍ବାଚନ ବିଜୟ ପରେ ବିଜେଡି କ୍ୟାମ୍ପରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଫଳାଫଳ ପ୍ରକାଶ ପାଇବା ପରେ ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁରୁବାର ସନ୍ଧ୍ୟାରେ ନବୀନ ନିବାସରେ ଦଳୀୟ କର୍ମୀମାନେ ଭେଟିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନେତା ଓ କର୍ମୀଙ୍କୁ ଉତ୍ସାହ ଦେଇଛନ୍ତି । ଏଥି ସହିତ ଭଲ କାମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ଆପଣମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆମେ ଭଲ କାମ କରୁଛୁ । ଆଗକୁ ଭଲ କାମ କରିବୁ । ଅପରପକ୍ଷରେ ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ସେଲିବ୍ରେସନ୍ ଦେଖିବାକୁ ମିଳିଥିଲା । ଧାମନଗର ଉପନିର୍ବାଚନ ପରାଜୟ ପରେ ପଦମପୁର ବିଜୟ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏହି ବିଜୟ କର୍ମୀଙ୍କ ମନୋବଳକୁ ଆହୁରି ଦୃଢ କରିଛି ।
