ପଣ୍ଡିଚେରୀ ସମୁଦ୍ର ୫୦ ଫୁଟ ତଳେ ଜୟ ଓଡ଼ିଶା ପ୍ରଚାର କଲେ ସମୁଦ୍ର ବୁଡ଼ାଳୀ
ପୁରୀ : ଓଡ଼ିଶାର ଦୁଇଜଣ ସମୁଦ୍ର ବୁଡ଼ାଳୀ ପି. ହାରୀ ରାଓ ଓ ଶୋଭନ ମହାନ୍ତି ପଣ୍ଡିଚେରୀ ନିକଟ ଗଭୀର ସମୁଦ୍ର ଭିତରେ ବୁଡ଼ି ଜୟ ଓଡ଼ିଶା ପୋଷ୍ଟର ଉଡ଼ାଇଛନ୍ତି । ଡ୍ରାଇଭ୍ ଦ ୱାର୍ଲଡ ପକ୍ଷରୁ ଆୟୋଜିତ ରାଷ୍ଟ୍ରିୟ ସ୍କୁଭା ଡାଇଭିଂ କର୍ମଶାଳାରେ ଯୋଗଦେଇ ଏହି ଦୁସାହସୀକ ଖେଳ ପ୍ରଦର୍ଶନ କରି ରେକର୍ଡ ସୃଷ୍ଟି କରିଛନ୍ତି । ପଣ୍ଡିଚେରୀର ରକ୍ ବିଚ୍ ସମୁଦ୍ରତଟରେ ୫୦ ଫୁଟ ପାଣି ଭିତରେ ଓଡ଼ିଶାର ଧ୍ୱଜାକୁ ଉଡ଼ାଇବାପାଇଁ ସମର୍ଥ ହୋଇଥିଲେ । ଏ ସମ୍ପର୍କରେ ହାରୀ ରାଓ କୁହନ୍ତି ଏହା ତାଙ୍କ ପାଇଁ ରୋମାଞ୍ଚକର ଓ ଗୌରବର ଦିନ । ଓଡ଼ିଶାର ବିସ୍ତୃତ ସମୁଦ୍ର ତଟରେ ସ୍କୁଭା ଡାଇଭ୍ ପାଇଁ ଅନେକ ସୁଯୋଗ ରହିଛି । ପର୍ଯ୍ୟଟନର ବିକାଶ ପାଇଁ ଏହା ବେଶ ଲାଭଦାୟକ ହୋଇପାରିବ । ଶ୍ରୀ ରାଓ ଜଣେ ଆନ୍ତର୍ଜାତୀୟ କୋଚ ଭାବେ ପରିଚିତ ଥିଲାବେଳେ ଶୋଭନ ମହାନ୍ତି ସୋଆ ବିଶ୍ୱବିଦ୍ୟାଳୟର ଛାତ୍ର ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ପୁରୀରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
