ରଜରେ ଓଡ଼ିଶା ଛୁଇଁବ ମୌସୁମୀ
- ୧୦ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ
ଭୁବନେଶ୍ୱର : କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ଦକ୍ଷିଣ କେରଳରେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ବର୍ଷା ପରିମାଣ ଅପେକ୍ଷାକୃତ କମ୍ ରହିଛି । ଗୁରୁବାର ସକାଳୁ ବର୍ଷା ପ୍ରକୋପ କମିଛି । ଦକ୍ଷିଣ-ପୂର୍ବ ଆରବ ସାଗରରେ ଘୂର୍ଣ୍ଣିବଳୟ ଥିବାରୁ ପଶ୍ଚିମ ଦିଗରୁ ପବନ ବାଧାପ୍ରାପ୍ତ ହେଉଛି । ଏଥିଯୋଗୁ ମୌସୁମୀ ପ୍ରବାହ ତ୍ୱରାନ୍ୱିତ ନଥିବାରୁ ବର୍ଷା କମ୍ ରହିଛି । ଓଡ଼ିଶା ପାଇଁ ଭଲ ଖବର ହେଲା, ଏଥର ମୌସୁମୀ ଡେରି କରିବନି। ସ୍ୱାଭାବିକ ସମୟ କିମ୍ବା ସାମାନ୍ୟ ଆଗୁଆ ଆସିପାରେ । ଆଗାମୀ ୭-୮ ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ । ଅର୍ଥାତ୍ ରଜ ପୂର୍ବରୁ ମୌସୁମୀ ଓଡ଼ିଶା ପହଞ୍ଚିବା ସମ୍ଭାବନା ଅଧିକ । ସେହିପରି ଓଡ଼ିଶାରେ ଏ ବର୍ଷ ସ୍ୱାଭାବିକ ସମୟରେ ମୌସୁମୀ ପହଞ୍ଚିବ । ସମ୍ଭବତଃ ରଜ ପୂର୍ବରୁ (୧୦ରୁ ୧୨ ତାରିଖ ଭିତରେ) ମୌସୁମୀ ଓଡ଼ିଶା ଉପକୂଳ ଛୁଇଁବ । ଓଡ଼ିଶାକୁ ମୌସୁମୀ ଆଣିବାରେ ସହାୟକ ହେବ ଲଘୁଚାପ । ଅନୁମାନ କରାଯାଉଛି, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୧୦ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ବି ହୋଇପାରେ । ଏହା ଓଡ଼ିଶାକୁ ମୌସୁମୀ ବର୍ଷା ନେଇ ଆସିବା ସମ୍ଭାବନା ଅଛି ।
ଏବେ ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ ରହିଛି । ୭ରୁ ୯ ତାରିଖ ପର୍ଯ୍ୟନ୍ତ ତାତି ଆହୁରି ବଢ଼ିପାରେ । ମାଟି ଶୁଖିଲା ରହୁଛି । ବର୍ଷା ପରେ ପାଗ ଦେଖି ଚିନାବାଦାମ, ମକା, ହରଡ଼, କପା ଆଦି ଅଣଧାନ ଫସଲ ଢିପ ଜମିରେ ଆରମ୍ଭ କରିପାରିବେ । ଉତ୍ତର ଉପକୂଳ ଅଞ୍ଚଳରେ ବାତ୍ୟା ୟାସ୍ ପ୍ରଭାବରେ ଭଲ ବର୍ଷା ହୋଇଥିବାରୁ ମାଟି ବତର ଅଛି । ଜଳ ନିଷ୍କାସନ ସୁବିଧା ଥିବା ଜମିରେ ଏବେ ଧାନ ପାଇଁ ତଳି ପକାଇ ପାରିବେ । ନଚେତ ବର୍ଷା ପରେ ପାଗ ଦେଖି ଆରମ୍ଭ କରିବେ । ଖାଲୁଆ ପାଟ ଜମିରେ ଏବେ ଧାନ ବୁଣାବୁଣି ହୋଇପାରିବ । ବର୍ଷା ପରେ ପାଣି ବଢ଼ିଲେ ଧାନ ବୁଣିବା କଷ୍ଟକର ହୋଇପଡ଼ିବ । ଚଳିତବର୍ଷ ଉପକୂଳରେ ଅତ୍ୟଧିକ ବର୍ଷା ସମ୍ଭାବନା ଥିବାରୁ ଚାଷୀମାନେ ମଧ୍ୟମ କିସମର ଧାନ (ସ୍ୱର୍ଣ୍ଣ-ସବ୍-୧ ଓ ସିଆର-୧୦୦୯) ବୁଣିବା ଉଚିତ୍ ବୋଲି ଡ. ପଶୁପାଳକ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଗୁରୁବାର ତାପମାତ୍ରା ଅଧିକ ନଥିଲେ ମଧ୍ୟ ଗୁଳୁଗୁୂଳି ପ୍ରକୋପ ଜାରି ରହିଥିଲା । ଶୁକ୍ରବାର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ କାଳବୈଶାଖୀ ହୋଇପାରେ ।
