ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲେ ବିଜେଡି ପ୍ରତିନିଧି ଦଳ ଭୋଟରଙ୍କୁ କିଣିବା ଲାଗି ପଦ୍ମପୁରରେ ଖୁଲମଖୋଲା ଟଙ୍କା ବାଂଟୁଛି ବିଜେପି
ଭୁୁବେନଶ୍ୱର : ସୋମବାର ସକାଳେ ପଦ୍ମପୁରରେ ମତଦାନ ଆରମ୍ଭ ହେବ । ଏଥିପାଇଁ ପ୍ରଚାର ପ୍ରସାର ଗତକାଲି ସନ୍ଧ୍ୟାରୁ ଶେଷ ହେଲାଣି । କିନ୍ତୁ ପରାଜୟ ଭୟରେ ଆତଙ୍କିତ ବିଜେପି ନେତାମାନେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଗାଁ ଗାଁ ବୁଲି ଖୁଲମଖୋଲା ଟଙ୍କା ବାଂଟୁଛନ୍ତି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପତ୍ନୀ ଏବଂ ମାଉସୀ ବିଭିନ୍ନ ଗାଁରେ ବୁଲି ଟଙ୍କା ବାଂଟୁଥିବା ନଜର ଆସିଥିବାବେଳେ ଜଣେ ପୂର୍ବତନ ମନ୍ତ୍ରୀ ମଧ୍ୟ ବିଜେପି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବାଂଟୁଥିବାବେଳେ ଧରା ପଡ଼ିଛନ୍ତି । ପୁଲିସ ତାଙ୍କ ଗାଡ଼ି ଜବତ୍ କରିଛି । କେବଳ ଦଳୀୟ ନେତା ନୁହନ୍ତି, ଏକ ବେ?ଦ୍ୟୁତିକ ଗଣମାଧ୍ୟମର ୪୦ରୁ ୪୫ଟି ଟିମ୍କୁ ମଧ୍ୟ ଏହି ଟଙ୍କା ବଂଟା ଅଭିଯାନରେ ସାମିଲ କରାଯାଇଛି । ଏମାନେ ନିଜ ଗାଡ଼ିରେ ବିଜେପିର ଟଙ୍କା ନେଇ ଏ ଗାଁରୁ ସେ ଗାଁରେ ପହଂଚାଉଛନ୍ତି । ତେଣୁ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଦଳିମକଚି ଏଭଳି ଘୃଣ୍ୟ କାର୍ଯ୍ୟରେ ଲିପ୍ତ ଥିବା ବିଜେପି ନେତା ଏବଂ ଅର୍ଗସ ଟିଭି ବିରୋଧରେ ଆଇନ ଅନୁଯାୟୀ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଜୁ ଜନତା ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି । ଆଜି ବିଜେଡିର ପ୍ରତିନିଧିଦଳ ଏଭଳି ସଂଗିନ ଅଭିଯୋଗ ନେଇ ଚାରି ଚାରି ଥର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ । ପ୍ରଥମେ ମଧ୍ୟାହ୍ନରେ ସାଂସଦ ସସ୍ମିତ ପାତ୍ର ଓ ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ୱରେ ଯାଇଥିବା ବିଜେଡି ପ୍ରତିନିଧିଦଳ ପଦ୍ମପୁରରେ ବିଜେପି ପକ୍ଷରୁ ଉକ୍ତ ଟିଭିର ଟିମ୍ଗୁଡ଼ିକ କେମିତି ଗାଁ ଗାଁ ବୁଲି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଭୋଟରଙ୍କୁ ଟଙ୍କା ବାଂଟୁଛନ୍ତି, ତାହା ବର୍ଣ୍ଣନା କରିଥିଲେ । ସେମାନେ କହିଥିଲେ ଯେ ବିଜେପିର ଟଙ୍କା ପରିବହନ ପାଇଁ ଉକ୍ତ ଟିଭିର ଭ୍ୟାନକୁ ବ୍ୟବହାର କରାଯାଉଛି । କେବଳ ସେତିକି ନୁହେଁ, ଉକ୍ତ ଟିମ୍ ବିଭିନ୍ନ ଗାଁରେ କିଛି ଲୋକଙ୍କ ହାତରେ ଟଙ୍କା ଧରାଇ ଏହି ଟଙ୍କା ସେମାନଙ୍କୁ ବିଜେଡି ଦେଇଛି ବୋଲି କ୍ୟାମେରା ଆଗରେ କହିବାକୁ କହୁଛନ୍ତି । ଆଉ ଏହି ପ୍ରାୟୋଜିତ ଦୃଶ୍ୟକୁ ନିଜ ଟିଭିରେ ଦେଖାଇ ବିଜେଡି ବିରୋଧରେ ଅପପ୍ରଚାର କରୁଛନ୍ତି । ତେଣୁ ବିଧିବଦ୍ଧ ଭାବେ ଏହାର ତଦନ୍ତ କରାଯାଉ ଏବଂ ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଉକ୍ତ ଟିଭିର ଟିମ୍ ଏବଂ ବିଜେପି ନେତାମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଅନୁରୂପ ଭାବେ ଅପରାହ୍ଣରେ ବିଜେଡିର ଆଉ ଏକ ପ୍ରତିନିଧିଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପି ନେତା ଭୋଟରଙ୍କୁ ପ୍ରଭାବିତ କରିବାକୁ ଟଙ୍କା ବାଂଟୁଥିବା ଅଭିଯୋଗ ଦୋହରାଇବା ସହ ଏହାର ପ୍ରମାଣ ସ୍ୱରୂପ ଫଟୋ ଓ ଭିଡିଓ କ୍ଲିପ୍ ଦାଖଲ କରିଥିଲେ । ଏହି ଅବସରରେ ସେମାନେ ନିର୍ଦ୍ଦିଷ୍ଟ ଭାବେ ଅଭିଯୋଗ କରିଥିଲେ ଯେ ରାଜେଶ କୁମାର ସାହୁ ନାମକ ଜଣେ ବିଜେପି ନେତା ଭୋଟ କିଣିବା ଉଦ୍ଦେଶ୍ୟରେ ପଦ୍ମପୁର ବ୍ଲକ୍ର ବରିକେଲ୍ ପଂଚାୟତରେ ଗ୍ରାମବାସୀଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିବା ସହ ନଗଦ ଟଙ୍କା ବାଂଟୁଛନ୍ତି । ବିଜେପି ନେତା ଶ୍ରୀ ସାହୁ ଜଣେ ଗ୍ୟାସ୍ ଏଜେନ୍ସି ମାଲିକ ହୋଇଥିବାବେଳେ କିଛିଦିନ ତଳେ ତାଙ୍କ ଏଜେନ୍ସିରେ ଜିଏସ୍ଟି ଚଢ଼ଉ ହୋଇଥିଲା । ସେହିପରି ପାଇକମାଲ ବ୍ଲକ୍ ଝିଟିକି ପଂଚାୟତ ମୁନିକେଲ ଗାଁରେ ତପନ ସୁନା ନାମକ ଜଣେ ବିଜେପି କର୍ମୀ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାଲାଗି ଗ୍ରାମବାସୀଙ୍କୁ ଟଙ୍କା ବାଂଟିଛନ୍ତି । ଉଭୟ ଘଟଣାରେ ଟଙ୍କା ବଂଟା ସମୟର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ତେଣୁ ଏହି ଦୁଇ ବିଜେପି ନେତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିବେଦନ କରିଥିଲେ । ପଦ୍ମପୁର ଏନ୍ଏସିର ଅଧ୍ୟକ୍ଷା ସାବିତ୍ରୀ ବାଗ ଓ ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ ମଧ୍ୟ ବିଜେପି ନେତା ରାଜେଶ ସାହୁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପଦ୍ମପୁରର ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ନିକଟରେ ଦାବି କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ସନ୍ଧ୍ୟାରେ ବିଜେଡିର ଆଉ ଏକ ପ୍ରତିନିଧିଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପୁଣିଥରେ ଫେରାଦ ହୋଇ ଅଭିଯୋଗପତ୍ର ଦେବା ସାଙ୍ଗକୁ ଟଙ୍କା ବଂଟାର ପ୍ରମାଣ ସ୍ୱରୂପ ଫଟୋ ଓ ଭିଡିଓ କ୍ଲିପ୍ ଦାଖଲ କରିଥିଲା । ଅଭିଯୋଗରେ ଦର୍ଶାଯାଇଥିଲା ଯେ ବିଜେପି ନେତା ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ପଦ୍ମପୁରର ଲାଖମରା ଅଂଚଳରେ ଥିବା ତାରିଣୀ ଛକ ନିକଟରେ ଭୋଟରଙ୍କୁ ଟଙ୍କା ବାଂଟୁଥିବାବେଳେ ଧରା ପଡ଼ିଥିଲେ । ସେ ଲୋକଙ୍କୁ ଟଙ୍କା ଦେଇ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବାକୁ କହୁଥିଲେ । ତେବେ ଏହି ଟଙ୍କା ବଂଟା ବେଳେ ପୁଲିସ ତାଙ୍କୁ ଧରିଥିବାବେଳେ ତାଙ୍କ ଗାଡ଼ିକୁ ଜବତ କରିଛି । ତେଣୁ ଶ୍ରୀ ମେହେରଙ୍କ ବିରୋଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ବିଜେପି ନେତା ଓ କର୍ମୀମାନଙ୍କୁ ଟଙ୍କା ବଂଟାରୁ ନିବୃତ ରଖିବାକୁ ବିଜେଡି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି ରଖା ଯାଇଥିଲା । ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପତ୍ନୀ ସୁଲୋଚନା ଓରଫ ପ୍ରତିମା ପୁରୋହିତ ଏବଂ ମାଉସୀ ପାଇକମାଲ ବ୍ଲକ୍ର ମାଣ୍ଡିଆଢିପା ପଂଚାୟନ ଅନ୍ତର୍ଗତ ନୂଆଗାଁରେ ପ୍ରଦୀପଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ସହିତ ଟଙ୍କା ବାଂଟିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଏ ନେଇ ଅଭିଯୋଗ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ନିର୍ବାଚନ ପ୍ରଚାର ସମୟ ଗତକାଲି ଅପରାହ୍ଣରୁ ଶେଷ ହେବା ସତ୍ୱେ ପ୍ରଦୀପଙ୍କ ପତ୍ନୀ ଓ ମାଉସୀ କିପରି ଆଚରଣ ବିଧି ଉଲ୍ଲଂଘନ କରି ଗାଁରେ ବୁଲି ପ୍ରଚାର କରୁଥିଲେ ଏବଂ ଟଙ୍କା ବାଂଟୁଥିଲେ ତାହା ପ୍ରଶ୍ନ କରିଛି ବିଜେଡି । ଆଜି ରାତିରେ ବିଜେଡିର ଆଉ ଏକ ପ୍ରତିନିଧିଦଳ ମୁଖ୍ୟ ନିର୍ବାଚନ ଅଧିକାରୀ ଭେଟି ଏ ନେଇ ଅବଗତ କରିବା ସହ ଏହାର ପ୍ରମାଣ ସ୍ୱରୂପ ଭିଡିଓ କ୍ଲିପ୍ ଦାଖଲ କରିଥିଲେ ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । କେବଳ ସେତିକି ନୁହେଁ, ପଦ୍ମପୁର ସ୍ଥିତ ଉଇନର୍ ପବ୍ଲିକ୍ ସ୍କୁଲର ମାଲିକ ଶ୍ରୀକାନ୍ତ ମିଶ୍ର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଲାଗି ପଦ୍ମପୁର ନିକଟସ୍ଥ ଗ୍ରାମରେ ଲୋକଙ୍କୁ ଟଙ୍କା ବାଂଟିବାବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରା ପଡ଼ିଛନ୍ତି । ସେ ଲୋକଙ୍କ ଆକାଉଂଟକୁ ୟୁପିଆଇ ଯୋଗେ ଟଙ୍କା ଟ୍ରାନ୍ସଫର କରିଥିବା ପ୍ରମାଣ ମିଳିଥିବାରୁ ଶ୍ରୀ ମିଶ୍ରଙ୍କୁ ଏବଂ ତାଙ୍କୁ ଏହି କାର୍ଯ୍ୟରେ ଲଗାଇଥିବା ଶ୍ରୀ ପୁରୋହିତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ପ୍ରତିନିଧିଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ଫେରାଦ ହେବାକୁ ଯାଇଥିବା ବିଜେଡିର ଏହିସବୁ ପ୍ରତିନିଧିଦଳରେ ସାଂସଦ ସସ୍ମିତ ପାତ୍ର, ମୁଖପାତ୍ର ଲେନିନ ମହାନ୍ତି, ଗେ?ତମବୁଦ୍ଧ ଦାସ, ପ୍ରିୟବ୍ରତ ମାଝୀ, ପ୍ରଶାନ୍ତ କୁମାର ସାହୁ, ଜ୍ୟୋତ୍ସ୍ନାମୟୀ ପରିଡ଼ା, ଇପ୍ସିତା ସାହୁ, ସ୍ୱାଗତିକା ମହାନ୍ତି ଓ ମଧୁସ୍ମିତା ନାୟକ ପ୍ରମୁଖ ସାମିଲ ଥିଲେ ।
