ଭୁବନେଶ୍ୱର ଏମ୍ସରେ ସ୍ୱାସ୍ଥ୍ୟ ସେବା ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ର ଏମ୍ସ ପରିସରରେ ବହୁମୁଖୀ ଅଟ୍ଟାଳିକାକୁ କଲେ ଉଦଘାଟନ
ଭୁବନେଶ୍ୱର : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପୱାର ରବିବାର ଭୁବନେଶ୍ୱର ଏମ୍ସ ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବା ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏମ୍ସ ପରିସରରେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ବରିଷ୍ଠ ଅଧିକାରୀମାନଙ୍କୁ ସମ୍ବୋଧିତ କରି ଡାକ୍ତର ପୱାର କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ସମସ୍ତଙ୍କୁ ଶସ୍ତା ଓ ସୁଭଲ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସଂକଳ୍ପବଦ୍ଧ । କେନ୍ଦ୍ର ମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏମ୍ସର ପରିଚାଳନା କାର୍ଯ୍ୟ ସମୀକ୍ଷା କରିଥିଲେ । ଏମ୍ସ ଅଧିକାରୀମାନଙ୍କ ସହିତ ମତବିନିମୟ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସରକାର ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଇ-ସଞ୍ଜିବନୀ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଗରିବ ଓ ବଞ୍ଚିତ ବର୍ଗର ନାଗରିକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବା ଲାଗି ଏମ୍ସ ଅଧିକାରୀମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଆହ୍ୱାନ କରିଥିଲେ । ସେ ମଧ୍ୟ ଟେଲିମେଡ଼ିସିନ ସେବାକୁ ସୁଦୃଢ଼ କରିବା ଏବଂ ଅଧିକ ସମୟ ଧରି ଚିକିତ୍ସା ପାଇଁ ଅପେକ୍ଷା କରୁଥିବା ରୋଗୀଙ୍କ ସମସ୍ୟା ଦୂର କରିବା ଲାଗି ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଅଧିକ ସଂଖ୍ୟକ ରୋଗୀଙ୍କୁ ଚିକିତ୍ସା ସେବା ମିଳିପାରିବ ବୋଲି ସେ କହିଥିଲେ । ଏହି ଅବସରରେ ଏମ୍ସ ପରିସରରେ ଏକ ବହୁମୁଖି ଅଟ୍ଟାଳିକାକୁ କେନ୍ଦ୍ର ମନ୍ତ୍ରୀ ଉଦଘାଟନ କରିଥିଲେ ଏବଂ କ୍ୟାମ୍ପସରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
