୨୪ରୁ ଗୋପାଳପୁର ବିଚ୍ ଫେଷ୍ଟ-୨୦୨୨
ଛତ୍ରପୁର : ଆସନ୍ତା ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ‘ଗୋପାଳପୁର ବିଚ୍ ଫେଷ୍ଟ-୨୦୨୨’ ଅନୁଷ୍ଠିତ ହେବ। କୋଭିଡ୍ ପ୍ରକୋପ କାରଣରୁ ଗତ ଦୁଇ ବର୍ଷ ହେବ ବିଚ୍ ଫେଷ୍ଟ ଅନୁଷ୍ଠିତ ହୋଇପାରି ନଥିଲା। ମହୋତ୍ସବରେ ଗୀତ, ନୃତ୍ୟ, ସଂଗୀତ, ବାଲୁକା କଳା ଓ ଜଳକ୍ରୀଡାର ସମାହାର ହେବ ବୋଲି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଟ୍ଵିଟର୍ ଯୋଗେ ସୂଚନା ଦେଇଛନ୍ତି ।
ସୂଚନା ଯେ, ଗୋପାଳପୁର ବିଚ୍ ଫେଷ୍ଟ-୨୦୨୨ ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ୫ ଦିନ କାଳ ଚାଲିବ। ବିଚ୍ ଫେଷ୍ଟ ଲୋଗୋ ମଧ୍ୟ ପୋଷ୍ଟ କରିଛନ୍ତି ଜିଲାପାଳ। ଏଥିସକାଶେ ପୂର୍ବରୁ ପ୍ରସ୍ତୁତି ବୈଠକ ହେବା ସହ ଜିଲାପାଳ ଓ ଜିଲା ପ୍ରଶାସନର ପଦସ୍ଥ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଥିଲେ। ବିଭିନ୍ନ ସରକାରୀ ବିଭାଗର ଷ୍ଟଲ ପ୍ରଦର୍ଶନୀ, ଏସ୍ଏଚଜି ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରିବଟା, ଜଳକ୍ରୀଡ଼ା, ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମର ବଡ ସୁଯୋଗ ଆଣିଦେବ ବିଚ୍ ଫେଷ୍ଟ।
