ଦମନ ଚଳଚିତ୍ର ଦେଖିଲା ପ୍ରଶାସନ
ଝାରସୁଗୁଡ଼ା : ନିଚ୍ଛକ ଘଟଣାକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଦମନର ଚର୍ଚ୍ଚା ଏବେ ସାରା ଦେଶରେ । ରାଜ୍ୟ ସରକାର ଚଳଚିତ୍ରଟିକୁ ଟିକସମୁକ୍ତ ମଧ୍ୟ କରିଛନ୍ତି । ମ୍ୟାଲେରିଆ ନିରାକରଣ ପାଇଁ ଜଣେ ଡାକ୍ତରଙ୍କର ସଂଘର୍ଷମୟ କଥାକୁ ନେଇ ଗତିଶୀଳ ଏ ଚଳଚ୍ଚିତ୍ର । ସରକାରୀ କର୍ମଚାରୀଙ୍କ କର୍ତବ୍ୟ ପରାୟଣତାକୁ ଉପଲବ୍ଧି କରିବା ପାଇଁ ରାଜ୍ୟର ସବୁ ଜିଲ୍ଲାରେ ପ୍ରଶାସନିକ ଅଧିକାରୀମାନଙ୍କୁ ଚଳଚ୍ଚିତ୍ରଟିକୁ ଦେଖିବା ପାଇଁ ସରକାର ଲିଖିତ ଭାବେ ଜଣାଇଛନ୍ତି । ଆଜି ଏଇ ପରିପ୍ରେକ୍ଷୀରେ ଝାରସୁଗୁଡ଼ାସ୍ଥିତ ଶିବା ଟକିଜରେ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ଦେଖିଛନ୍ତି । ଜିଲ୍ଲାପାଳ ସରୋଜ କୁମାର ସାମଲ ଫିତା କାଟି ଝାରସୁଗୁଡ଼ା ଜିଲ୍ଲାରେ ଚଳଚ୍ଚିତ୍ର ସ୍କ୍ରିନିଂକୁ ଉଦ୍ଘାଟନ କରିଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତପିରାମ ମାଝୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପ୍ରବୀର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଲଙ୍କେଶ୍ୱର ଅମାତ, ପି ଡି(ପୁନର୍ବାସ ଓ ଥଇଥାନ)ଆଲୋମଣୀ ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାର୍ଥ ଅଧିକାରୀ ଡାକ୍ତର ଡୋଲାମଣି ପଟେଲଙ୍କ ସମେତ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାଧାରମଣ ବିର୍ତିଆ, ଡି ପି ଏମ ବୁଲୁନାଥ ସାହୁ, ଆକାଉଂଟସ ମ୍ୟାନେଜର ଧୀରେନ୍ଦ୍ର ନନ୍ଦ, ବିରାଟ ପ୍ରଧାନ, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆଶା ଓ ଅଙ୍ଗନବାଡ଼ି କର୍ମୀ ,ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ , ଜିଲ୍ଲା ପ୍ରଶାସନ,ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଚଳଚ୍ଚିତ୍ରଟିକୁ ଦେଖିଛନ୍ତି ।
