ଏସଟିଏଫ ପଞ୍ଝାରେ ତିନି ବଜ୍ରକାପ୍ତା ବେପାରୀ, ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର
ଖୋର୍ଦ୍ଧା : ଟାଉନ ଥାନା ଅନ୍ତର୍ଗତ ଖୋର୍ଦ୍ଧା-ଜଟଣୀ ବାଇପାସରେ ବଜ୍ରକାପ୍ତା ଡିଲ ଚାଲିଥିବା ବେଳେ ଏସଟିଏଫ ଚଢ଼ଉ କରି ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ବଡମ୍ବା ଥାନା ଅଂଚଳର ସାଧୁଚରଣ ମହାନ୍ତି, ବିଜୟ କୁମାର ପରିଡ଼ା ଏବଂ ରାୟଗଡା ଜିଲ୍ଲା ବି. ନାରାୟଣପୁର ଥାନା ଅଂଚଳର କସ୍ତି କଡ଼ରକା । ସୂଚନା ମୁତାବକ, ଖୋର୍ଦ୍ଧା-ଜଟଣୀ ବାଇପାସରେ ବଜ୍ରକାପ୍ତା ଚୋରା ଚାଲାଣ ଖବର ପାଇ ଖୋର୍ଦ୍ଧା ବନ ବିଭାଗର ସହଯୋଗରେ ଏସଟିଏଫ ଶୁକ୍ରବାର ସକାଳେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ କିଛି ଆପତିଜନକ ସାମଗ୍ରୀ ଜବତ କରିଥିଲା ଏସଟିଏଫ । ତେବେ ଜବତ ବଜ୍ରକାପ୍ତାକୁ ଏସଟିଏଫ ଖୋର୍ଦ୍ଧା ବନବିଭାଗକୁ ହସ୍ତାନ୍ତର କରିବା ସହିତ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲେ । ହେଲେ ଏମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ମାନଙ୍କୁ ଖୋର୍ଦ୍ଧା ଉପ କାରାଗାରକୁ ପଠାଇ ଦିଆଯାଇଥିବା ଏସଟିଏଫ ପକ୍ଷରୁ ସୂଚନା ମିଳିଛି ।
