ପଦ୍ମପୁର ଉପନିର୍ବାଚନ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରକୃତ ସ୍ୱରୂପ ପଦାରେ ପକାଇଛି : କଂଗ୍ରେସ
ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନରେ ଭୟ ସୃଷ୍ଟିକରି ଭୋଟ ଆପଣେଇବା ନିମନ୍ତେ ଉଭୟ ସରକାରୀ ଦଳ ଆୟକର ଚଢ଼ାଉ ଏବଂ ଜିଏସଟି ଚଢ଼ାଉ କରିଛନ୍ତି । ନିର୍ବାଚନ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ବାଚନ ଉପରେ ପ୍ରଭାବ ପକାଇବା ପାଇଁ ନିଜ ନଶଜର ଏଜେନ୍ସିର ଦୁରୂପଯୋଗ କରି ଭୋଟକୁ ପ୍ରଭାବିତ କରିବାପାଇଁ ଚେଷ୍ଟା କରୁଛନ୍ତି ଏହା ତାଙ୍କପାଇଁ ବୁମେରାଂ ହେବ ବୋଲି ଶୁକ୍ରବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ କହିଛନ୍ତି । ସେ କହିଛନ୍ତି ପ୍ରତ୍ୟେକ ମିଶନଶକ୍ତି ମହିଳାମାନଙ୍କ ପାଇଁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସ୍ୱାଗତ ଯୋଗ୍ୟ । ମାତ୍ର ନିର୍ବାଚନ ସମୟରେ ଏପରି ଘୋଷଣା କେଉଁ ଉଦ୍ଦେଶ୍ୟରେ । ଚାଷୀଙ୍କ ପାଇଁ ଟିକସ ଇନପୁଟ ସବସିଡ ରାଜ୍ୟ ସରକାର ଘୋଷଣା କଲେ ମଧ୍ୟ ତାହା ଲୋକଙ୍କୁ ପ୍ରଭାବିତ କରିପାରି ନାହିଁ । ଠିକ୍ ସେମିତି ଧାନ ବିକ୍ରିପାଇଁ ମଣ୍ଡି ନଖୋଲିବା ଏକ ପ୍ରହଶନ ବୋଲି ଲୋକଙ୍କର ଧାରଣା । ନିର୍ବାଚନ ସମୟରେ ପଦ୍ମପୁର ଭୋଟରମାନଙ୍କୁ ପ୍ରଭାବିତ କରିବାପାଇଁ ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ନୂତନ ଜିଲ୍ଲା ଗଠନ କରିବାପାଇଁ ଘୋଷଣା କରିଥିଲେ, କିନ୍ତୁ ବିଧାନସଭାରେ ଏକ ପ୍ରଶ୍ନର ଉତର ଦେଇ ରାଜସ୍ୱମନ୍ତ୍ରୀ ସରକାରଙ୍କର ନୂତନ ଜିଲ୍ଲା ସୃଷ୍ଟିର କୌଣସି ଯୋଜନା ନାହିଁ ବୋଲି ପ୍ରକାଶ କରିଥିଲେ । ଉଭୟଦଳର କାର୍ଯ୍ୟକଳାପ ତାଙ୍କର ଦୁଇ ପ୍ରାର୍ଥୀଙ୍କୁ ଦଳର ନିଷ୍ପତି ପାଇଁ ସଂଦେହ ଘେରକୁ ଠେଲି ଦେଇଛି । ତେବେ ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ବିଧାୟକ ସମୟରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟପାଇଁ ଏବେବି ସେ ପଦ୍ମପୁରରେ ଲୋକପ୍ରିୟ ଭାବେ ପରିଗଣିତ । ଦଳର ସମସ୍ତ ବରିଷ୍ଠ ନେତାମାନେ ସେଠାରେ ନିର୍ବାଚନ ମୈଇଦାନରେ ଅଛନ୍ତି । କର୍ମୀମାନେ ମଧ୍ୟ ଉତ୍ସାହିତ ଅଛନ୍ତି । ସତ୍ୟ ବାବୁଙ୍କ ପ୍ରତି ଧିରେ ଧିରେ ଲୋକପ୍ରିୟତା ବୃଦ୍ଧି ଓ ଲୋକସମର୍ଥନ ବଢ଼ିବା ଉଭୟ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏଦୁଇଦଳ ଭୋଟ ସମୟରେ ଅନେକ ଘୋଷଣା କରି ଭୋଟରମାନଙ୍କୁ ପ୍ରଭାବିତ କରିବାର ଯେଉଁ ଅପଚେଷ୍ଟା କରୁଛନ୍ତି ତାହା ବୃଥା ହେବ ବୋଲି ଶ୍ରୀ କାନୁନଗୋ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
