୮ ଦିନରେ ଶେଷ ହେଲା ବିଧାନସଭା
ଭୁବନେଶ୍ୱର : ୨୫ ଦିନ ପୂର୍ବରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ ହୋଇଛି । ବିଧାନସଭା ଶୀତକାଳୀନ ଅଧିବେଶନ ମାତ୍ର ମାତ୍ର ୮ ଦିନ ପାଇଁ ଚାଲି ପାରିଛି । ଶୁକ୍ରବାର ଅପରାହ୍ନ ବୈଠକରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି । ଚଳିତ ବିଧାନସଭାର ଶୀତକାଳୀନ ଅଧିବେଶନ ବନ୍ଦ କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଦେଇଥିଲେ । ଏହାକୁ ଶାସକ ଦଳ ବିଧାୟକମାନେ ସମର୍ଥନ ଜଣାଇଥିଲେ । ପରେ ବାଚସ୍ପତି ଶ୍ରୀ ଆରୁଖ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବକୁ ଗୃହୀତ କରିଛନ୍ତି । ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ସମୟ ପାଇଁ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ,ଦୀର୍ଘ ଦିନର ବ୍ୟବଧାନ ପରେ ଚଳିତ ଥର ବିନା କୋଭିଡ୍ କଟକଣାରେ ଗୃହ ଚଳାଇବାକୁ ନିଷ୍ପତି ହୋଇଥିଲା । ପ୍ରଥମ ଦିନରେ ଶୋକପ୍ରସ୍ତାବ ପରେ ଦ୍ୱିତୀୟାର୍ଦ୍ଧ ବୈଠକରେ ଅର୍ଥମନ୍ତ୍ରୀଙ୍କ ଅନୁପସ୍ଥିତିରେ ପଂଚାୟତିରାଜ ମନ୍ତ୍ରୀ ଅତିରିକ୍ତ ବଜେଟ୍ ଆଗତ କରିଥିଲେ । ସେହିପରି ଶେଷ ଦିନରେ ବ୍ୟୟ ମଂଜୁରି ବିଲ୍ ପାରିତ ହୋଇଛି । ୧୬ତମ ବିଧାନସଭାର ୧୬ତମ ଅଧିବେଶନ ଗତ ନଭେମ୍ବର ମାସ ୨୪ ତାରିଖରେ ଆରମ୍ଭ ହୋଇଥିଲା । ୩୩ଟି କାର୍ଯ୍ୟ ଦିବସ ବିଶିଷ୍ଟ ଏହି ଅଧିବେଶନ ଡିସେମ୍ବର ୩୧ରେ ଶେଷ ହେବାର ଥିଲା । ମାତ୍ର ୮ ଦିନର କାର୍ଯ୍ୟ ପରେ ଶେଷ ହୋଇଛି । ଏହି ଆଠ ଦିନ ମଧ୍ୟରେ ଚାଷୀ ପ୍ରସଙ୍ଗ ଓ ଅର୍ଚ୍ଚନା ନାଗ ମାମଲାରେ ବିରୋଧୀ ବିଜେପି ଓ କଂଗ୍ରେସର ନେତାମାନେ ହଙ୍ଗାମା କରିଥିଲେ । ସେହିପରି ଶିକ୍ଷକ ସଂଘର ଆନ୍ଦୋଳନ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ଜିଲ୍ଲା ଗଠନ ପାଇଁ ଦାବି ହୋଇଥିଲା । ବିରୋଧୀଙ୍କ ହୋହାଲ୍ଲା ପାଇଁ ବାଚସ୍ପତି ଶ୍ରୀ ବାରମ୍ବାର ଗୃହକୁ ମୁଲତବି ରଖିଥିଲେ । ଅନ୍ୟପଟରେ ଶୀତକାଳୀନ ଅଧିବେଶନରେ ମାତ୍ର ୩ଟି ବିଲ୍ ପାସ୍ ହୋଇଥିଲା । ବିଧାନସଭା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଚଳିତ ଅଧିବେଶନରେ ୭ଟି ସରକାରୀ ଦିବସ ଓ ଗୋଟିଏ ବେସରକାରୀ ଦିବସ ରହିଥିଲା । ପ୍ରଥମ ଦିନର ପ୍ରଥମାର୍ଦ୍ଧ ବୈଠକରେ ୬ ଜଣ ଦିବଂଗତ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ପାରିତ ହୋଇଥିଲା । ମୋଟ ୧୪ ଟି ତାରକା ଚିହ୍ନିତ ପ୍ରଶ୍ନର ମୌଖିକ ଉତର ପ୍ରଦାନ କରାଯାଇଥିବା ବେଳେ ୩୮ଟି କାଗଜ ଉପସ୍ଥାପନ କରାଯାଇଥିଲା । ସେହିପରି ୧୦ଟି ବାର୍ଷିକ ରିପୋର୍ଟ , ୨ଟି କମିଟି ରିପୋର୍ଟ, ୨ଟି ବିବୃତି , ୩ ଟି ସିଏଜି ରିପୋର୍ଟ ଉପସ୍ଥାପନହୋଇଥିଲା । ୫ଟି ମୁଲତବୀ ନୋଟିସ୍ ଗ୍ରହଣ କରାଯାଇଥିବା ବେଳେ ୩ ଟି ଉପରେ ଆଲୋଚନା ହୋଇଥିଲା ।
