ସିଏସିରେ ସାମିଲ ହେଲେ ଅଶୋକ ମଲହୋତ୍ରା ଓ ଜତିନ୍ ପରାଞ୍ଜପେ
ନୂଆଦିଲ୍ଲୀ : ଭାରତର ପୂର୍ବତନ ଖେଳାଳି ତଥା ଜାତୀୟ ଚୟନକର୍ତ୍ତା ଅଶୋକ ମଲହୋତ୍ରା ଏବଂ ଜତିନ୍ ପରାଞ୍ଜପେ ବିସିସିଆଇର ତିନି ସଦସ୍ୟ ବିଶିଷ୍ଟ କ୍ରିକେଟ୍ ପରାମର୍ଶଦାତା କମିଟି (ସିଏସି)ରେ ସାମିଲ ହୋଇଛନ୍ତି । ସୁଲକ୍ଷଣା ନାୟକ ପୂର୍ବରୁ ଏହି କମିଟିର ସଦସ୍ୟ ରହିଛନ୍ତି। ନୂଆ ସିଏସିକୁ ଏହି ମାସ ଶେଷସୁଦ୍ଧା ନୂଆ ଚୟନ କମିଟି ବାଛିବା ଦାୟିତ୍ବ ଦିଆଯିବ ।
ମାଲହୋତ୍ରା ସିଏସିରେ ପୂର୍ବତନ ଭାରତୀୟ ପେସର ମଦନ ଲାଲଙ୍କ ସ୍ଥାନ ନେଇଛନ୍ତି ଏବଂ ରୁଦ୍ର ପ୍ରତାପ ସିଂହଙ୍କ ସ୍ଥାନରେ ପରାଞ୍ଜପେଙ୍କୁ ସାମିଲ କରାଯାଇଛି। ରୁଦ୍ର ପ୍ରତାପ ସିଂହ ମୁମ୍ବାଇ ଇଣ୍ଡିଆନ୍ସର ‘ପ୍ରତିଭା ସ୍କାଉଟ୍’ ଭାବେ ଯୋଗ ଦେଇଥିଲେ । ତେଣୁ ସିଏସିରେ ତାଙ୍କ ସ୍ଥାନ ଖାଲି ପଡ଼ିଥିଲ।ସିଏସିରେ କେବଳ ପୂର୍ବତନ ମହିଳା କ୍ରିକେଟର ସୁଲକ୍ଷଣା ନାୟକ ସ୍ଥାନ ବଜାୟ ରଖିଛନ୍ତି ।
ବିସିସିଆଇ ସଚିବ ଜୟ ଶାହା କହିଛନ୍ତି, ମାଲହୋତ୍ରା ୭ଟି ଟେଷ୍ଟ ଏବଂ ୨୦ଟି ଦିନିକିଆରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ସେ ନିକଟରେ ଭାରତୀୟ କ୍ରିକେଟର୍ସ ଆସୋସିଏସନର ସଭାପତି ଥିଲେ। ପରାଞ୍ଜପେ ଭାରତ ପାଇଁ ଚାରିଟି ଦିନିକିଆ ଖେଳିଛନ୍ତି ଏବଂ ବରିଷ୍ଠ ପୁରୁଷ ଚୟନ କମିଟିର ସଦସ୍ୟ ଥିଲେ। ନଭେମ୍ବରରେ ବିସିସିଆଇ ଚେତନ ଶର୍ମାଙ୍କ ନେତୃତ୍ଵାଧୀନ ଚୟନ କମିଟିକୁ ବରଖାସ୍ତ କରିଥିଲା । ଚେତନ ଶର୍ମାଙ୍କ ସହ ହରବିନ୍ଦର ସିଂ, ସୁନୀଲ ଯୋଶୀ ଏବଂ ଦେବାଶିଷ ମହାନ୍ତି ଏହି ବରଖାସ୍ତ ଚୟନ କମିଟିର ଅନ୍ୟ ତିନି ସଦସ୍ୟ ଥିଲେ ।
ଟି-୨୦ ବିଶ୍ୱକପରେ ସେମିଫାଇନାଲରୁ ଭାରତର ବିଦାୟ ପରେ ବରଖାସ୍ତ ହୋଇଥିଲେ ହେଁ ଚେତନ ଶର୍ମା ଓ ହରବିନ୍ଦର ସିଂ ପୁଣି ଚୟନକର୍ତ୍ତା ପଦ ପାଇଁ ଆବେଦନ କରିଥିବା ଜଣାପଡିଛି । ଯୋଶୀ ଏବଂ ଦେବାଶିଷ ମହାନ୍ତି କିନ୍ତୁ ଆବେଦନ କରିନାହାଁନ୍ତି। ନୂଆ ଚୟନକର୍ତ୍ତା ପାଇଁ ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କ ମଧ୍ୟରେ ନୟନ ମୋଙ୍ଗିଆ, ଭେଙ୍କଟେଶ ପ୍ରସାଦ, ମନିନ୍ଦର ସିଂ, ଶିବ ସୁନ୍ଦର ଦାସ, ସୁବ୍ରତ ବାନାର୍ଜୀ, ସଲିଲ ଅଙ୍କୋଲା, ଅମୟ ଖୁର୍ସିଆ, ରିତିନ୍ଦର ସିଂ ସୋଧୀ, ନିଖିଲ ଚୋପ୍ରା ଏବଂ ଅତୁଲ ୱାସାନ ରହିଛନ୍ତି ।
