ନାରୀ ଜାତିଙ୍କୁ ଅପମାନିତ କରିବା ବିଜେପି ନେତାଙ୍କ ଚରିତ୍ର: ବିଜେଡି
ଭୁବନେଶ୍ୱର : ମାର୍ଗଶୀର ମାସ ଗୁରୁବାର ଭଳି ଏକ ପବିତ୍ର ଦିନରେ ବିଜେପି ସାଂସଦ ଜୁଏଲ ଓରାମ ଜଣେ ନାରୀଙ୍କୁ ଅପମାନ କରିଛନ୍ତି । ନାରୀଙ୍କୁ ଅପମାନିତ କରିବା ବିଜେପି ନେତାଙ୍କ ଚରିତ୍ର ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଶ୍ରମୟୀ ମିଶ୍ର । ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଶ୍ରୀ ଓରାମ ପଦ୍ମପୁରର ବିଜେଡି ପ୍ରାର୍ଥୀନୀ ବର୍ଷା ସିଂ ବରିହାଙ୍କ ବିରୋଧରେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଅତ୍ୟନ୍ତ ଅଶାଳୀନ, ଅରୁଚିକର ଏବଂ ତାଙ୍କ କୁତ୍ସିତ ମାନସିକତାର ପରିଚୟ । ଏହା କେବଳ ବର୍ଷାଙ୍କ ପ୍ରତି ଅପମାନ ନୁହେଁ, ସମଗ୍ର ନାରି ଜାତି ପ୍ରତି ଅପମାନ । ଏହା ପୂର୍ବରୁ ପ୍ରଦୀପ ପୁରୋହିତ ଏବଂ ଜୟନାରାୟଣ ମିଶ୍ର ମଧ୍ୟ ବର୍ଷାଙ୍କ ପ୍ରତି ଏଭଳି ମନ୍ତବ୍ୟ ଦେଇ ତାଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଥିଲେ । ଜୁଏଲ ଓରାମଙ୍କ ଚରିତ୍ର କ’ଣ ତାହା ସାରା ଓଡ଼ିଶା ଜାଣିଛି । କିଛି ଦିନ ପୂର୍ବରୁ ସେ ତାଙ୍କରି ଦଳର ତାଙ୍କ ଝିଅ ବୟସର ଜଣେ ନାରୀ ନେତ୍ରୀଙ୍କୁ ଅସଦାଚରଣ କରିଥିଲେ । ଏଥିପାଇଁ ପୀଡ଼ିତା ନାରୀ ନେତ୍ରୀ ଜଣକ ଥାନାରେ ଏତଲା ଦେବା ସହ ଗଣମାଧ୍ୟମରେ ଏ ବିଷୟରେ ପ୍ରକାଶ କରି ଜୁଏଲଙ୍କ ଅସଲ ସ୍ୱରୂପକୁ ପଦାରେ ପକାଇ ଦେଇଥିଲେ । ଜୁଏଲଙ୍କ ଏଭଳି କାରନାମା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ଜୁଏଲଙ୍କୁ ବେଶ୍ କିଛିଦିନ ପାଇଁ ଲୁଚିବାକୁ ପଡ଼ିଥିଲା । ସେହିପରି ବିଧାନସଭାରେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କ ଅଶାଳୀନ ଆଚରଣ ଓ ଅପରାଧିକ ଗତିବିଧି କାହାକୁ ଅଛପା ନୁହେଁ । ଏବେ ସେ ବିଜେପିର ଷ୍ଟାର ପ୍ରଚାରକ ସାଜି ବିଜେଡି ପ୍ରାର୍ଥୀ ବର୍ଷାଙ୍କ ପ୍ରତି ଅଶାଳୀନ ଓ ଅପମାନସୂଚକ ମନ୍ତବ୍ୟ ଦେଉଛନ୍ତି ଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ଝିଅ ବୟସର ନାରୀ ପ୍ରତି ବିଜେପି ନେତାମାନେ ଏଭଳି ଅଶାଳୀନ ମନ୍ତବ୍ୟ ଦେବା ଏବଂ ତାଙ୍କ ନାରୀତ୍ୱକୁ ଅପମାନ କରିବା କ’ଣ ବିଜେପିର ସଂସ୍କୃତି? ନିଶ୍ଚିତ ପରାଜୟ ଭୟରେ ହତାଶ ହୋଇ ପଡ଼ିଥିବା ବିଜେପିର ଏହି ନେତାମାନେ ମନେ ରଖିବା ଉଚିତ ଯେ ଏହା ଆମ ପଶ୍ଚିମ ଓଡ଼ିଶାର ସଂସ୍କୃତି ନୁହେଁ । ମୁଁ ଜଣେ ନାରୀ ହିସାବରେ ଏହାକୁ ତୀବ୍ର ନିନ୍ଦା କରୁଛି । ଯେଉଁମାନେ ଜଣେ ମାଟିର ଝିଅକୁ ଅଶାଳୀନ ମନ୍ତବ୍ୟ ଦେଇ ବାରମ୍ବାର ଏଭଳି ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ପଦମପୁରବାସୀ ଅ ।ସନ୍ତା ୫ ତାରିଖରେ ଉଚିତ ଜବାବ ଦେବେ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।
